ବାତ୍ୟା ‘ଅକୱାନ’ ପ୍ରଭାବ : ଚାଷୀଙ୍କ ଚିନ୍ତା ବଢ଼ିଲା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
ଖୋର୍ଦ୍ଧା,୨୦/୧୧(ସମ୍ବାଦ ଓଡ଼ିଶା ): ବାତ୍ୟା ‘ଅକୱାନ’ର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଜିଲ୍ଲାର ଚାଷୀମାନେ ସେମାନଙ୍କ ପାଚିଲା ଧାନ ଫସଲକୁ ନେଇ ଚିନ୍ତାରେ ପଡ଼ିଥିବାବେଳେ କଚ୍ଚା ଘରେ ରହୁଥିବା ଗରିବ ଓ ଅସହାୟ ପରିବାରଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।ବାତ୍ୟା ଆଶଙ୍କା ଥିବା ଅଞ୍ଚଳରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ପ୍ରକୋପ କମିବା ପର୍ଯ୍ୟନ୍ତ ସେମାନଙ୍କ ରହିବା ସହ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ପଞ୍ଚାୟତ ପକ୍ଷରୁ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ପଞ୍ଚାୟତର ବେଲପଦା ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏକ ବିଦ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଛି। ସେଠାରେ ସେମାନଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସମ୍ପୃକ୍ତ ଅଧିକାରୀ ଆଲର୍ଟ ରହିଥିବା ଜଣାପଡ଼ିଛି। ଲୋକଙ୍କ ଧନଜୀବନ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି।

