ପଲ୍ଲୀରେ ପ୍ରଶାସନ: ଓଳସିଂହରେ ବେଆଇନ ପଥର ଖଣି ବନ୍ଦ ଓ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି , ଅବ୍ୟବସ୍ଥା ସ୍ବାସ୍ଥ୍ୟ ସେବା ସଂପର୍କରେ ଦାବିପତ୍ର
ଖୋର୍ଦ୍ଧା,୧୨/୧(ସମ୍ବାଦ ଓଡ଼ିଶା): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଳସିଂହ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ପଂଚାୟତବାସୀଙ୍କ ତରଫରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଅଭିଯୋଗ ହୋଇଥିବା ଜଣାପଡିଛି। ଓଳସିଂହ ଗ୍ରାମର ନୟାକୋଟ ମୌଜା ଅଞ୍ଚଳରେ ବେଆଇନ ଭାବରେ ଖଣି ଖନନ କରାଯାଉଥିବା ଓ ଏହି ବେଆଇନ ଖଣି ଖନନ ଦ୍ବାରା ଚାଷ ଜମି, ଗ୍ରାମ୍ୟ ରାସ୍ତା, ଜଳସ୍ରୋତ ଓ ପ୍ରାକୃତିକ ପରିବେଶର ବହୁତ କ୍ଷତି ହେଉଛି ।ଭାରୀ ଯାନବାହନ ଚଳାଚଳ ଯୋଗୁଁ ଗ୍ରାମବାସୀମାନେ ଭୟଭୀତ ଏବଂ ଅସୁବିଧାରେ ପଡ଼ୁଛନ୍ତି । ବହୁବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଏହି ବେଆଇନ କାର୍ଯ୍ୟ ଅବାଧରେ ଚାଲୁଥିବା କିଛି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଗ୍ରାମଦେବୀ ମା ସିଦ୍ଧେଶ୍ବରୀଙ୍କ ମନ୍ଦିରକୁ ଯାଉଥିବା ମୁଖ୍ୟ ରାସ୍ତାରେ ବଡ ଗାତି ଚଳପ୍ରଚଳ କାରଣ ରୁ ବର୍ତ୍ତମାନ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଏହି ମନ୍ଦିରଟି ମାଦଳାପାଞ୍ଜି ଅନୁସାରେ ୫୦୦ ବର୍ଷ ର ମନ୍ଦିର ଅଟେ, ସେହି କାରଣରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ମାନସିକ ନେଇ ଆସିଥାନ୍ତି।ନୟାକଟ ମୌଜାରେ ଥିବା କୃଷକଙ୍କ ଚାଷ ଜମି ଏବଂ କୋଚିଲାଗଣ୍ଡ ଠାରେ ଥିବା ସରକାରଙ୍କ ଦ୍ବାରା ନିର୍ମିତ କ୍ଷୁଦ୍ର ଜଳ ସେଚନକୁ ଯାତାୟାତ ପାଇଁ ରାସ୍ତାକୁ ସମ୍ପୂର୍ଣ ଭାବରେ ଅବରୋଧ କରାଯାଇଅଛି ,ଯାହାଫଳରେ କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ବେଧଡଖଣି ଖନନ କାରଣରୁ ସେଠାରେ ଥିବା ଜଙ୍ଗଲ ନଷ୍ଟହୋଇଗଲାଣି ଏବଂ ସେଠାରେ ବାସ କରୁଥିବା ଜୀବଜନ୍ତୁ ଯଥା : ହାତୀ, ବାରାହା, କୁଣ୍ଡୁରୀ, ଠେକୁଆ,ମୟୁର ପ୍ରଜାତିର ଜୀବଜନ୍ତୁ ଲୋପ ପାଇବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି ।ସେହିପରି ଓଳସିଂହ ଗ୍ରାମ ଏକ ଐତିତ୍ୱ ସମ୍ପନ୍ନ ଗ୍ରାମ ହୋଇଥିବାବେଳେ ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଗ୍ରାମ କୌଣସି ମୁଖ୍ୟ ରାସ୍ତା ସହିତ ସିଧାସଳଖ ସଂଯୋଗ ନାହିଁ । ଏକ ମାତ୍ର ରାସ୍ତା ଜଗନ୍ନାଥ ସଡ଼କ ରମାବିଲିକୁ ସଂଯୋଗ କରୁଥିବା ବେଳେ ତାହା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ଗ୍ରାମକୁ ଅନ୍ୟଏକ ରାସ୍ତା ଛଣଗିରି ପଟୁ ସଂଯୋଗ କରାଯାଇଛି । ଯାହା ଗ୍ରାମବାସୀଙ୍କ ଉଦ୍ୟମରେ କରାଯାଇଥିଲା । ଏହି ରାସ୍ତା ଏବେ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି। ଏହି ରାସ୍ତା ଦେଇ ଲୋକମାନେ ଓ ଗାଡିମଟର ଯିବାଆସିବା ସମ୍ଭବ ହେଉନାହିଁ । ଏହି ଦୁଇଟି ରାସ୍ତାକୁ ମରାମତି କରିବା ଯିବା , ଗ୍ରାମର ଦାଶରଥ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଶତ ବାର୍ଷିକୀ ପାଳନ କରିବାପାଇଁ ଯାଉଛି । ଏହା ଅଭିଭକ୍ତ ପୁରୀ ଜିଲ୍ଲାର ତୃତୀୟ ପୁରାତନ ଉଚ୍ଚ ବିଦ୍ୟାଳୟ ଅଟେ । ଏହି ସ୍କୁଲର ପିଲାମାନଙ୍କ ସଂଖ୍ୟା ୩୦୦ ହୋଇଥିବା ସତ୍ତ୍ବେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାଁନ୍ତି , ଏକମାତ୍ର ଶିକ୍ଷୟିତ୍ରୀ ଡେପୁଟେଶନରେ ଥିବାରୁ ପିଲାମାନଙ୍କ ପାଠ ପଢାରେ ବାଧା ଉପୁଜୁଛି। ୩ ଟି ଶିକ୍ଷକ ପଦ ଖାଲି ପଡ଼ିଛି।୧ ଟି ହିନ୍ଦୀ ଶିକ୍ଷକ ପଦବୀ ଖାଲି ରହିଛି। ଉଚ୍ଚ ବିଦ୍ୟାଳୟ ସହିତ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ସଂଯୁକ୍ତ ଥିଲେ ମଧ୍ୟ ଶିକ୍ଷକ ଅଭାବ ରହିଛି। ସ୍କୁଲର ଏକମାତ୍ର କିରାଣୀ ଡେପୁଟେସନ ରେ ଅନ୍ୟ ସ୍କୁଲକୁ ଯାଉଥିବାରୁ ସ୍କୁଲର କାମରେ ବ୍ୟାଘାତ ଘଟୁଛି। ଏହି ସବୁ କାରଣ ପାଇଁ ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଓଳସିଂହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏହାର ୧୦୦ ବର୍ଷ ପୁରଣ କରିସାରିଛି। ଏହା ୧୯୨୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ପ୍ରଥମେ ହ ୬ ଶଯ୍ୟା ବିଶିଷ୍ଟ ଥିଲା। ଦୁଃଖର ବିଷୟ ଏହିକି ଯେ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିତ କରାଯାଇଛି । ଏଠାରେ ସ୍ଥାୟୀ ଡାକ୍ତର ନାହାନ୍ତି। ଷ୍ଟାଫନର୍ସ ଓ ଆଟେଡାଣ୍ଡ ନାହାନ୍ତି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୫ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଛନ୍ତି। ଡାକ୍ତର ଅନୁପସ୍ଥିତି ପାଇଁ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଥିବା ଭଳି ଅଭିଯୋଗ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

