ନିରାକାରପୁର ହାଇସ୍କୁଲ ପଡ଼ିଆରେ ୧୩ ଶମ୍ଭୁଙ୍କ ମହାମିଳନ: ଭକ୍ତିମୟ ପରିବେଶରେ ଝୁମିଲେ ହଜାର ହଜାର ଶ୍ରଦ୍ଧାଳୁ
ନିରାକାରପୁର, ୯/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜି




ଲ୍ଲା ନିରାକାରପୁରଠାରେ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି। ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ତ୍ରୟୋଦଶ ଶମ୍ଭୁ ଦଣ୍ଡ ମହାମିଳନ ପର୍ବ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଖପାଖ ଅଞ୍ଚଳର ୧୩ଟି ପ୍ରମୁଖ ଶୈବପୀଠରୁ ଆସିଥିବା ପ୍ରଭୁ ଶମ୍ଭୁଙ୍କ ପଟୁଆର ଏକାଠି ହୋଇ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲେ।୧୩ ଶୈବପୀଠର ପଟୁଆର ଓ ପରିକ୍ରମା ଏହି ଭବ୍ୟ ମିଳନରେ ନିରାକାରପୁରର ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କ ସମେତ ଲେଣ୍ଡୁର ଚନ୍ଦନେଶ୍ୱର ଦେବ, ଷୋଢ଼ରପୁରର କପିଳେଶ୍ୱର ଦେବ, ବାଦୁରବରର କୁମୁଦେଶ୍ୱର ଦେବ, ବୋଦଙ୍ଗରାର ଲୋକନାଥ ଦେବ, ଆସେଲିର ଚନ୍ଦନେଶ୍ୱର ଦେବ, ଅରାଞ୍ଚଳର ଗ୍ରାମେଶ୍ୱର ଦେବ, ବାଲିଗାଁ କପିଳେଶ୍ୱର ଦେବ, ଗୋଳବାଈ ଗୁଣ୍ଠୁଣୀର କୃଷ୍ଣେଶ୍ୱର ଦେବ, ରୋଷଣାର ଇଷାନେଶ୍ୱର ଦେବ, ପାଣ୍ଡବପାଟଣାର କପିଳେଶ୍ୱର ଦେବ, ହଜର ନାଟ୍ୟଶ୍ୱର ଦେବ, ହରିପୁର ବିଶ୍ୱନାଥ ଦେବ ଏବଂ ଗୋଡ଼ିପଦରର କୃଷ୍ଣେଶ୍ୱର ଦେବ ପ୍ରମୁଖ ନିଜ ନିଜର ପଟୁଆର ସହ ଉପସ୍ଥିତ ହୋଇଥିଲେ। ପ୍ରଥମେ ସମସ୍ତ ଠାକୁର ନୀଳକଣ୍ଠେଶ୍ୱର ଦେବଙ୍କ ପଡ଼ିଆରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ହାଇସ୍କୁଲ ପଡ଼ିଆକୁ ଆସିଥିଲେ। ଭକ୍ତମାନେ ନିଜ ଦ୍ୱାର ଆଗରେ ଝୋଟି ଓ ଚିତା ପକାଇ ଠାକୁରଙ୍କୁ ସ୍ୱାଗତ କରିଥିଲେ।ମହାମିଳନ ସ୍ଥଳରେ ଭକତାମାନଙ୍କ ଦ୍ୱାରା ପ୍ରଦର୍ଶିତ ଦଣ୍ଡ ନୃତ୍ୟ ଓ ବିଭିନ୍ନ କଳାକୌଶଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆତସବାଜିର ପ୍ରକମ୍ପନ ଓ ହରିବୋଲ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ଏହି ଦିବ୍ୟ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଖରୁଡ଼ା ମହାସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ରବୀନ୍ଦ୍ର ରାଉତରାୟ, ସମ୍ପାଦକ ସତ୍ୟବାଦୀ ବଳବନ୍ତରାୟ ଏବଂ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉଦଘୋଷକ ଭାବେ ଡଃ ପୂର୍ଣ୍ଣଚନ୍ଦ୍ର ଦାସ ଓ ପଣ୍ଡିତ ଶ୍ୟାମ ସୁନ୍ଦର ପଟ୍ଟନାୟକ ଯୋଗଦେଇ ଶମ୍ଭୁ ମିଳନର ମାହାତ୍ମ୍ୟ ଉପରେ ପ୍ରବଚନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ହୃଷିକେଶ ରାଉତରାୟ, ସମାଜସେବୀ ଇଞ୍ଜିନିୟର ପ୍ରଭାତ କୁମାର ସ୍ୱାଇଁ, ବିଜୟ କୁମାର ଜୟସିଂହ, ନବ କିଶୋର ସାହୁ, ବିପିନ ରାଉତରାୟ, ଆର୍ତ୍ତତ୍ରାଣ ରାଉତରାୟ, ରାଜେଶ ସାହୁ, ପ୍ରସାଦ କୁମାର ଦାସ,ଡମ୍ବୁରଧର ପରିଡ଼ା, ଜାଗର ମାଝୀ, ମନୋଜ କୁମାର ପ୍ରଧାନ , ଲକ୍ଷ୍ମୀକାନ୍ତ ପ୍ରଧାନ , ଟିମା ପ୍ରଧାନ, କାଳିଆ ପ୍ରଧାନ, ଗୋପୀ ପ୍ରଧାନ, ପ୍ରଫୁଲ୍ଲ ବାରିକ ଓ ଶିବୁ ପ୍ରଧାନ,ଆନନ୍ଦ ବେହେରା, ଶ୍ୟାମ ବେହେରାଙ୍କ ସମେତ ଅନେକ ସଭ୍ୟ ସହଯୋଗ କରିଥିଲେ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟଙ୍କ ନେତୃତ୍ୱରେ ପୋଲିସ ବାହିନୀ ମୁତୟନ ହୋଇଥିଲେ। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

