Sambad Odisha

ଅପରାଧ ରାଜ୍ୟ ସ୍ପେଶାଲ

ପାପ ସମ୍ପର୍କ ଲୁଚାଇବାକୁ ବାପାର ଚକ୍ରବ୍ୟୁହ: ଶାଳୀର ପୁଅକୁ ‘ଚୋରି’ କରି ପ୍ରଥମ ସ୍ତ୍ରୀକୁ ଦେଲା, ୨୪ ଘଣ୍ଟାରେ ପର୍ଦାଫାଶ କଲା ରେଳବାଇ ପୋଲିସ 

ପାପ ସମ୍ପର୍କ ଲୁଚାଇବାକୁ ବାପାର ଚକ୍ରବ୍ୟୁହ: ଶାଳୀର ପୁଅକୁ ‘ଚୋରି’ କରି ପ୍ରଥମ ସ୍ତ୍ରୀକୁ ଦେଲା, ୨୪ ଘଣ୍ଟାରେ ପର୍ଦାଫାଶ କଲା ରେଳବାଇ ପୋଲିସ

ନିରାକାରପୁର୯/୪( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନରୁ ୪ ମାସର ଶିଶୁପୁତ୍ର ନିଖୋଜ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାପ ସମ୍ପର୍କକୁ ଲୁଚାଇବା ସହ ଶାଳୀଙ୍କ ଠାରୁ ଦୂରେଇ ଯିବା ପାଇଁ ନିଜ ଶିଶୁପୁତ୍ରକୁ ଅପହରଣ କରିବାକୁ ଯୋଜନା କରିଥିଲା ଜନ୍ମକଲା ବାପା। ତେବେ ଖୋର୍ଦ୍ଧା ରୋଡ୍ ରେଳବାଇ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ହୀନ ଷଡ଼ଯନ୍ତ୍ରର ପର୍ଦାଫାଶ କରିବା ସହ ନୟାଗଡ଼ ରଣପୁରରୁ ଶିଶୁଟିକୁ ଉଦ୍ଧାର କରିଛି।ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ପୂର୍ବରୁ ବିବାହିତ ଥିଲେ ସୁଦ୍ଧା ନିଜ ଶାଳୀ ଚିନୁଲତା ପରିଡ଼ାଙ୍କ ସହ ସମ୍ପର୍କ ରଖି ଚେନ୍ନାଇରେ ରହୁଥିଲେ। ସେଠାରେ ସେମାନଙ୍କର ଏକ ୪ ମାସର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶାଳୀଙ୍କ ସହ ଏହି ସମ୍ପର୍କକୁ ନେଇ ଗାଁରେ କଳହ ସୃଷ୍ଟି ହେବାରୁ ପ୍ରଶାନ୍ତ ଏକ ଭୟଙ୍କର ନାଟକ ରଚିଥିଲେ। ଶାଳୀ ଠାରୁ ପିଲାଟିକୁ ଦୂରେଇ ନିଜ ପ୍ରଥମ ସ୍ତ୍ରୀ ମିନୁଲତାଙ୍କୁ ଦେବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ।ଗତ ମଙ୍ଗଳବାର ରାତିରେ ପ୍ରଶାନ୍ତ ତାଙ୍କ ଶାଳୀ ଓ ଶିଶୁପୁତ୍ର ସହ ତାମିଲନାଡୁ ଯିବା ପାଇଁ ନିରାକାରପୁର ଷ୍ଟେସନରେ ପହଞ୍ଚିଥିଲେ। ରାତିରେ ୩ ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ପ୍ରଶାନ୍ତ ନିଜ ପ୍ରଥମ ସ୍ତ୍ରୀ ମିନୁଲତାଙ୍କୁ ଷ୍ଟେସନକୁ ଡକାଇଥିଲେ। ଶାଳୀ ଚିନୁଲତା ଗଭୀର ନିଦରେ ଶୋଇପଡ଼ିବାର ସୁଯୋଗ ନେଇ ପ୍ରଶାନ୍ତ ୪ ମାସର ଶିଶୁଟିକୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ହାତକୁ ଟେକି ଦେଇଥିଲେ। ମିନୁଲତା ଶିଶୁଟିକୁ ଧରି ରଣପୁର ପଳାଇଥିଲେ। ଏହାପରେ ପିଲାଟି ଚୋରି ହୋଇଯାଇଥିବା ନେଇ ପ୍ରଶାନ୍ତ ତାଙ୍କ ଶାଳୀ ସହିତ ମିଶି ରେଳବାଇ ପୋଲିସରେ ଅଭିଯୋଗ କରି ନାଟକବାଜି ଆରମ୍ଭ କରିଥିଲେ।ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଅତିରିକ୍ତ ଡି.ଜି (ପୋଲିସ), ରେଳବାଇ ଏବଂ ଉପକୂଳ ସୁରକ୍ଷା, ଭୁବନେଶ୍ୱର ଆଇ.ପି.ଏସ, ଶ୍ରୀ ଅରୁଣ ବୋଥ୍ରା, ଓ.ପି.ଏସ (ଏସ୍.ଏ.ଜି), ପୋଲିସ ଅଧୀକ୍ଷକ (ଏସ୍.ପି), ରେଳବାଇ, କଟକ ଶ୍ରୀ ଭବାନୀ ଶଙ୍କର ଉଦଗାତା,ଓ.ପି.ଏସ, ଏସ୍.ଡି.ଆର୍.ପି.ଓ, ଖୋର୍ଦ୍ଧା ରୋଡ୍ଶ୍ରୀ ଜଗନ୍ନାଥ ମଲ୍ଲିକ, ତଦନ୍ତକାରୀ ଅଧିକାରୀ ନିରାକାରପୁର ଜି.ଆର.ଓ.ପି ଏସ୍.ଆଇ, ଶ୍ରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।ପ୍ରଶାନ୍ତଙ୍କ ବୟାନରେ ସନ୍ଦେହ ହେବାରୁ ତାଙ୍କୁ ଘନ ଘନ ଜେରା କରାଯାଇଥିଲା, ଯେଉଁଥିରେ ସେ ନିଜର ପାପ ସ୍ୱୀକାର କରିଥିଲେ।ଏହାପରେ ପୋଲିସ ଟିମ୍ ରଣପୁରରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ପ୍ରଶାନ୍ତଙ୍କୁ ଗିରଫ କରିଛି। ଏହି ଅପରେସନରେ ତଦନ୍ତକାରୀ ଅଧିକାରୀ ନିରାକାରପୁର ଜି.ଆର.ଓ.ପି ଏସ୍.ଆଇ ଦିଲ୍ଲୀପ କୁମାର ସାହୁ ,ଶ୍ରୀ ଆର୍. ଶଙ୍କର ରାଓ, (ଓ.ଆଇ.ସି, ଖୋର୍ଦ୍ଧା ରୋଡ୍ ଜି.ଆର.ପି.ଏସ୍), ସି/୧୯୯ ଜ୍ୟୋତିର୍ମୟୀ ପଣ୍ଡା, ଖୋର୍ଦ୍ଧା ରୋଡ୍ ଜି.ଆର.ପି.ଏସ୍, ସି/୪୧୧ ସିରାଜ ପ୍ରଧାନ, ଖୋର୍ଦ୍ଧା ରୋଡ୍ ଜି.ଆର.ପି.ଏସ୍, ଅଖିଳେଶ କୁମାର, ଇନ୍ସପେକ୍ଟର, ଆର୍.ପି.ଏଫ୍ ଖୋର୍ଦ୍ଧା ରୋଡ୍ହା ଓ ହାବିଲଦାର ଜେ.କେ. ମହାନ୍ତି, ଆର୍.ପି.ଏଫ୍ ଖୋର୍ଦ୍ଧା ରୋଡ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେପଟେ ପୀଡ଼ିତା ଶାଳୀ ଚିନୁଲତାଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ ତାଙ୍କୁ ସବୁବେଳେ ମାଡ଼ପିଟ୍ କରୁଥିଲେ। ରେଳବାଇ ପୋଲିସ ଶିଶୁଟିକୁ ଖୋର୍ଦ୍ଧା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

admin

admin

About Author

Leave a comment

Your email address will not be published. Required fields are marked *