Sambad Odisha

ରାଜ୍ୟ ସ୍ପେଶାଲ

ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ସଫଳତା, ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ସଫଳତା, ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ

ଖୋର୍ଦ୍ଧା,୧୦/୧୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ, ନଭେମ୍ବର ୧୦ ତାରିଖ ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗର ଦୁଇଟି ଟିମ୍ ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ାଉ କରିଥିଲେ। ପ୍ରଥମ ଘଟଣାରେ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଫ୍ଲାଏଓଭର ଆରମ୍ଭ ସ୍ଥାନରେ ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଜଣେ ଯୁବକଙ୍କୁ ଅଟକ ରଖି ତାଙ୍କଠାରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଗିରଫ ଯୁବକ ଜଣକ କନ୍ଧମାଳ ଜିଲ୍ଲା ବିସିପଡ଼ା ଅଞ୍ଚଳର ଭଗବାନ ବେହେରା (୨୬) ବୋଲି ଜଣାପଡ଼ିଛି। ସେ ଫୁଲବାଣୀରୁ ଭୁବନେଶ୍ୱର ଗଞ୍ଜେଇ ନେଇ ଯାଉଥିବା ଜଣାପଡ଼ିଛି।ସେହିପରି ଦ୍ୱିତୀୟ ଘଟଣାରେ ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ସକାଳ ପ୍ରାୟ ୧୦ଟା ୫ ମିନିଟ୍ ସମୟରେ ଜାତୀୟ ରାଜପଥ ୧୬ର ପିତାପଲ୍ଲୀ ଛକରେ ଏକ ଧଳା ବୋଲେରୋ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ଗାଡ଼ିରୁ ୧୨୦ କେଜି ଗଞ୍ଜେଇ, ୪ଟି ସ୍ମାର୍ଟ ଫୋନ୍ ଜବତ କରାଯିବା ସହ ଗାଡ଼ିରେ ଥିବା ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଅମୂଲ୍ୟ ବେହେରା (୨୬), ସତ୍ୟବାନ ବେହେରା (୩୦), ସରୋଜ ମୁଖୀ (୨୫) ଓ ଶୈନୀ ମାଝୀ (୫୫)। ସେମାନେ ସମସ୍ତେ କନ୍ଧମାଳ ଜିଲ୍ଲାର ବୋଲି ଅବକାରୀ ବିଭାଗର ସୂଚନାରେ ଉଲ୍ଲେଖ ରହିଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭଦ୍ରକ ଚାଲାଣ ହେଉଥିବା ଜଣାପଡ଼ିଛି।ଦୁଇଟି ଘଟଣାରେ ମୋଟ ୧୪୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ୫ ଜଣ ଗିରଫ ହୋଇଥିବା ବେଳେ ଏକ ବୋଲେରୋ ଗାଡ଼ି ଓ ୪ଟି ସ୍ମାର୍ଟ ଫୋନ୍ ଜବତ ହୋଇଛି। ଏହି ଘଟଣାରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

admin

admin

About Author

Leave a comment

Your email address will not be published. Required fields are marked *