ମା’ ଉଗ୍ରତାରାଙ୍କ ଖୋଲିଲା ହୁଣ୍ଡି: ମୋଟ ୮ ଲକ୍ଷ ୪୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସଂଗୃହୀତ
ନିରାକାରପୁର,୫
/୧୧: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତନ୍ତ୍ରପୀଠ ତଥା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଭୂଷଣ୍ଡପୁର ନିକଟସ୍ଥ ମୂଳିଝର ଗଡ଼ରେ ବିରାଜମାନ ମା’ ଉଗ୍ରତାରାଙ୍କର ଆଜି ଶ୍ରଦ୍ଧାଳୁଙ୍କ ଦାନ ହୁଣ୍ଡି ଖୋଲାଯାଇଛି।ପ୍ରଥମେ ମା’ ଉଗ୍ରତାରାଙ୍କ ନିକଟରେ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ଆସିବା ପରେ ହୁଣ୍ଡି ଖୋଲାଯାଇଥିଲା। ଏହାପରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିଲା ଟଙ୍କା ଗଣତି କାର୍ଯ୍ୟ। ଦୀପାବଳି ଅମାବାସ୍ୟା ପୂର୍ବରୁ ଏହି ହୁଣ୍ଡି ଗଣତି ପ୍ରକ୍ରିୟା ଶେଷ କରାଯାଇଥିବା ବେଳେ ମୋଟ ୮ ଲକ୍ଷ ୪୫ ହଜାର ୪୩୦ ଟଙ୍କା ସଂଗୃହୀତ ହୋଇଛି।ଟାଙ୍ଗୀ ଅତିରିକ୍ତ ତହସିଲଦାର ସନାତନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏବଂ ଟାଙ୍ଗୀ ପୋଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଗଣତି ସମ୍ପନ୍ନ ହୋଇଥିଲା। ଏଥିରେ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା କୁମର ପାତ୍ର, ସୁବ୍ରତ ସାମନ୍ତରାୟ, ରଘୁନାଥ ରାଉତରାୟ, ନିତ୍ୟାନନ୍ଦ ବେହେରା, ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଏସଏସଜି ମହିଳାମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ।ହୁଣ୍ଡିରୁ ଆଦାୟ ହୋଇଥିବା ସମସ୍ତ ଅର୍ଥକୁ ମା’ଙ୍କ ମନ୍ଦିର ଜମା ଖାତାରେ ଜମା ରଖାଯିବ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

