ଟାଙ୍କୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ
ନିରାକାରପୁର,୭
⁷7⁷/୧୧: ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟରେ ଭବ୍ୟ ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ଭିଡିଓ କନଫରେନ୍ସ ରେ ଏହି ଉଦ୍ଘାଟନ ଉତ୍ସବ ସମ୍ପନ୍ନ ହୋଇଥିଲା।ଏହି ଗରିମାମୟ ଅବସରରେ ଟାଙ୍କୋଳ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବୀରେଶ କୁମାର ରାଜଗୁରୁ ଏବଂ ସମିତି ସଭ୍ୟ ଶ୍ରୀଯୁକ୍ତ ବିଶ୍ୱନାଥ ସାହୁଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ମାନ୍ୟଗଣ୍ୟ ଅତିଥିବୃନ୍ଦ ଉପସ୍ଥିତ ରହି ଉତ୍ସବର ଶୋଭା ବୃଦ୍ଧି କରିଥିଲେ।ସେହିପରି ଟାଙ୍ଗୀ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ବେହେରା ଏବଂ ସି.ଆର.ସି.ସି ପ୍ରଶାନ୍ତ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପବନ କୁମାର ପ୍ରଧାନଙ୍କ ସଭାପତିତ୍ୱ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାକାନ୍ତ ଶତପଥୀଙ୍କ ଉପସ୍ଥିତି ଓ ତତ୍ତ୍ୱାବଧାନରେ ଏହି ଉତ୍ସବ ପରିଚାଳିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପୁରାତନ ଛାତ୍ର ସଂଘର କର୍ମକର୍ତ୍ତା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀବୃନ୍ଦ ଏବଂ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗଦେଇଥିଲେ।ଅତିଥିମାନେ ନିଜ ଅଭିଭାଷଣରେ ଶିକ୍ଷାର ଗୁଣାତ୍ମକ ବିକାଶ, ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ଦିଗରେ ସରକାର, ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।ଏହି ଉତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଙ୍କୋଳ ପାଇଁ ଏକ ଗୌରବମୟ ଓ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ। ସମସ୍ତଙ୍କ ସମୂହ ପ୍ରୟାସ ଏବଂ ସହଯୋଗ ଦ୍ୱାରା ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷା, ଶୃଙ୍ଖଳା ଏବଂ ପ୍ରଗତି କ୍ଷେତ୍ରରେ ଆହୁରି ଅଧିକ ସଫଳତା ହାସଲ କରିବ ବୋଲି ବୈଠକରେ ଆଶା ପ୍ରକାଶ କରାଯାଇଥିଲା।

