ବେଙ୍କଟେଶ୍ବର ବେଦ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ପୁଅ ଡଃ ବଳଭଦ୍ର ଉପାଧ୍ୟାୟ
ନିରାକାରପୁର୧୦/୪(ସମ୍ବାଦ ଓଡ଼ିଶା): ଓଡ଼ିଶାର ବୈଦିକ ପାଣ୍ଡିତ୍ୟ ପରମ୍ପରାରେ ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଦିବରାହ କ୍ଷେତ୍ର ତିରୁପତି ସ୍ଥିତ ପ୍ରସିଦ୍ଧ ଶ୍ରୀ ବେଙ୍କଟେଶ୍ବର ବେଦ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ “କୁଳସଚିବ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଦିବ୍ୟସିଂହପୁର ଗ୍ରାମର ସନ୍ତାନ ଡଃ ବଳଭଦ୍ର ଉପାଧ୍ୟାୟ। ଗତ ୭ ଏପ୍ରିଲ ୨୦୨୬ରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇଛନ୍ତି।ବୈଦିକ ପାଣ୍ଡିତ୍ୟ ଓ ଦୀର୍ଘ ଅଭିଜ୍ଞତା ଡଃ ଉପାଧ୍ୟାୟ ଅଥର୍ବବେଦ, ପୈପ୍ପଲାଦ ଓ ଶୌନକ ଶାଖାର ଜଣେ ପ୍ରକାଣ୍ଡ ବିଦ୍ବାନ ଭାବେ ସର୍ବଭାରତୀୟ ସ୍ତରରେ ପରିଚିତ। ସେ ଦୀର୍ଘ ୨୦ ବର୍ଷ ଧରି ଶ୍ରୀ ବେଙ୍କଟେଶ୍ବର ବେଦ ବିଶ୍ବବିଦ୍ୟାଳୟରେ ଅଥର୍ବବେଦ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଗଭୀର ଶାସ୍ତ୍ର ଜ୍ଞାନ ଓ ଶିକ୍ଷାଦାନ ଶୈଳୀ ପାଇଁ ସେ ସେଠାରେ ବେଶ୍ ଆଦୃତ।ଡଃ ଉପାଧ୍ୟାୟ କେବଳ ଶିକ୍ଷାଦାନରେ ସୀମିତ ନାହାନ୍ତି, ବରଂ ଓଡ଼ିଶାର ବହୁ ବୈଦିକ ବିଦ୍ୱାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇବାରେ ସହାୟତା କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଜୀର୍ଣ୍ଣୋଦ୍ଧାର ହେଉଥିବା ମନ୍ଦିର ଏବଂ ଅନୁଷ୍ଠାନ ଗୁଡ଼ିକର ବିକାଶରେ ତାଙ୍କର ପ୍ରତ୍ୟକ୍ଷ ସହଯୋଗ ରହିଆସିଛି।ଜଣେ ଓଡ଼ିଆ ବିଦ୍ୱାନ ଏଭଳି ଏକ ସମ୍ମାନଜନକ ପଦବୀ ମଣ୍ଡନ କରିବା ପରେ ନିରାକାରପୁର ତଥା ସମଗ୍ର ଓଡ଼ିଶାରୁ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ଡଃ ଉପାଧ୍ୟାୟଙ୍କ ଏହି ନୂତନ ଦାୟିତ୍ୱ ଓଡ଼ିଶାର ସଂସ୍କୃତି ଓ ବୈଦିକ ପରମ୍ପରାକୁ ଜାତୀୟ ସ୍ତରରେ ଅଧିକ ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।

