ପଞ୍ଚାୟତ ସ୍ତରୀୟ ଅନ୍ତଃ ବିଦ୍ୟାଳୟ ବାର୍ଷିକ ଖେଳ ପ୍ରତିଯୋଗୀତା ୨୦୨୬
ନିରାକାରପୁର,୩/୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଡିଆ ଗ୍ରାମ ପାଞ୍ଚାୟତ ସ୍ଥିତ କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ଦୁଇ ଦିନ ବ୍ୟାପୀ ତିନୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଦିବସରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ରଥ ମଶାଲ ଜାଳି ଶୁଭାରମ୍ଭ କରିଥିଲେ। ସରପଞ୍ଚ ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ମଶାଲ ଶୋଭାଯାତ୍ରା ସମ୍ପୂର୍ଣ କାଶୀପୁର ଗ୍ରାମରେ ବୁଲି ନିକଟସ୍ଥ ବଡ଼ପଦର ଖେଳ ପଡ଼ିଆରେ ପହଞ୍ଚିଥିଲା। ଆନୁଷ୍ଠାନିକ ଭାବେ ବରିଷ୍ଠ ଶିକ୍ଷୟତ୍ରୀ ମମତା ବେହେରା ପ୍ରାରମ୍ଭିକ ଅଭିଭାଷଣ ରଖି ଖେଳ ଆରମ୍ଭ କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ନାୟକ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀକୁ ନେଇ ଠେକୁଆ ଦଳ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀକୁ ନେଇ ହରିଣ ଦଳ ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀକୁ ନେଇ ଚିତା ବାଘ ଦଳ ଗଠନ କରିଥିଲେ। ଏହି ଦଳ ମାନଙ୍କ ମଧ୍ୟରେ ୫୦ ମିଟର ଓ ୧୦୦ ମିଟର ଦୌଡ, ଅଖା ଡିଆଁ, ଆଳୁ ଚାମଚ, ମ୍ୟୁଜିକ ଚେୟାର, ଦଉଡି ଡିଆଁ, ପୁଚି ଆଦି ଖେଳ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଡିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଓ ସୁଖ୍ୟାତ ମଞ୍ଚ ପରିଚାଳକ ଶ୍ରୀ କମଳ ଲୋଚନ ପ୍ରଧାନ, କପିଳେଶ୍ଵର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଦ୍ୟାଧର ପ୍ରଧାନ, ଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅମ୍ଳାନ ପ୍ରହରାଜ ଓ ଶିକ୍ଷୟତ୍ରୀ କବିଲତା ଦାସ ଅତିଥି ଭାବେ ଯୋଗଦେଇଥିଲେ | ଖେଳ ପଡ଼ିଆରେ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ବାଗତିକା ପରିଡ଼ା, ଅନିତା ନାୟକ, ମମତା ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ମାଧବେଶ୍ଵର ପାଇକରାୟ ପ୍ରତିଯୋଗିତାକୁ ସୁପରିଚାଳନା କରିଥିଲେ | ପରିଶେଷରେ ଯୁବ ସମାଜସେବି କୈଳାଶ ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ସ୍ଵର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ୍ ପଦକରେ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା |

