ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସର କଡ଼ା ନଜର: ଗୋଟିଏ ଦିନରେ ୯୦ ଚାଲାଣ କଟାଯିବା ସହ ୮ ଲକ୍ଷରୁ ଅଧିକ ଟଙ୍କା ଜରିମାନା
ଖୋର୍ଦ୍ଧା,୨୫/୩(ସମ୍ବାଦ ଓଡ଼ିଶା):ଅଞ୍ଚଳରେ ଦିନକୁ ଦିନ ବ
ଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଜଙ୍କିଆ ଓ ନାଚୁଣୀ ଅଞ୍ଚଳରେ କରାଯାଇଥିବା ଏହି ସ୍ପେଶାଲ ଡ୍ରାଇଭ୍ ସମୟରେ ଟ୍ରାଫିକ ନିୟମକୁ ବେଖାତିର କରୁଥିବା ଗାଡ଼ି ଚାଳକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି।ପୋଲିସ ପକ୍ଷରୁ ବିଶେଷ କରି ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ବ୍ରେଥ୍ ଆନାଲାଇଜର ସାହାଯ୍ୟରେ କଡ଼ା ଚେକିଂ କରାଯାଇଥିଲା। ଏହି ଯାଞ୍ଚ ସମୟରେ ୪ ଜଣ ମଦ୍ୟପ ଚାଳକ ଧରାପଡ଼ିଥିବା ବେଳେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିସହ ନିୟମ ଉଲ୍ଲଂଘନ କରି ଗାଡ଼ି ଚଲାଉଥିବା ୫ ଜଣ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ କୁ ସସପେଣ୍ଡ ବା ବାତିଲ କରାଯାଇଛି।ସୂଚନା ଅନୁଯାୟୀ, ଦିନକ ମଧ୍ୟରେ ମୋଟ ୯୦ଟି ଇ-ଚାଲାଣ କଟାଯାଇଛି। ଏହି ଚାଲାଣ ମାଧ୍ୟମରେ ସମୁଦାୟ ୮,୬୨,୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ବିନା ହେଲମେଟରେ ଗାଡ଼ି ଚଲାଇବା, ଭୁଲ୍ ସାଇଡ୍ରେ ଗାଡ଼ି ନେବା, ନିଷିଦ୍ଧାଞ୍ଚଳରେ ପାର୍କିଂ କରିବା, ବାଇକ୍ରେ ତିନି ଜଣ ବସିବା (ଟ୍ରିପଲ୍ ରାଇଡିଂ), ସିଟ୍ ବେଲ୍ଟ ନ ବାନ୍ଧିବା ଏବଂ ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଭଳି ବିଭିନ୍ନ ଅଭିଯୋଗରେ ଏହି ଚାଲାଣ କଟାଯାଇଛି। ଏହା ବ୍ୟତୀତ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଛାଡ଼ିନାହିଁ। ଆଗାମୀ ଦିନରେ ଏହି ଚେକିଂ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଟ୍ରାଫିକ ପୋଲିସ ଏସ ଆଇ ତୃପ୍ତିରେଖା ଜେନାଙ୍କ ପକ୍ଷରୁ ସୂଚନା ମିଳିଛି। ଜନସାଧାରଣ ନିଜର ସୁରକ୍ଷା ପାଇଁ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

