Sambad Odisha

ରାଜ୍ୟ ସ୍ପେଶାଲ

କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ: ୩ ଘଣ୍ଟା କାଳ ନୟାଗଡ଼-ପୁରୀ ରୋଡ୍‌ ଠପ୍, ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା

କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ: ୩ ଘଣ୍ଟା କାଳ ନୟାଗଡ଼-ପୁରୀ ରୋଡ୍‌ ଠପ୍, ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା

ଖୋର୍ଦ୍ଧା,୧୭/୪( ସମ୍ବାଦ ଓଡ଼ିଶା):ପ୍ରଶାସନିକ ପ୍ରତିଶ୍ରୁତି ପରେ ଶେଷରେ ହଟିଛି ରାସ୍ତା ଅବରୋଧ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ଥମିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଅଞ୍ଚଳରେ ହାତୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ପ୍ରାୟ ୩ ଘଣ୍ଟା ଧରି ଜାରି ରହିଥିବା ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।ଗତକାଲି (ଗୁରୁବାର) ରାତି ପ୍ରାୟ ୧୦:୩୦ ସମୟରେ ନିଧିପୁର ଆଦିବାସୀ ସାହିର ସୁଶାନ୍ତ କୁମାର ପ୍ରଧାନ (୩୫) ହଜ ଗ୍ରାମରୁ ନିଜ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହଜ-ନିଧିପୁର ରାସ୍ତାର କଲରାଝର ଗ୍ରାମ ନିକଟରେ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଦଳିଚକଟି ମାରିଦେବା ସହ ସାଇକେଲଟିକୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର କରିଦେଇଥିଲା। ଶୁକ୍ରବାର ସକାଳୁ ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ହଜ ଛକଠାରେ ନୟାଗଡ଼-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିଲେ।ଉତ୍ତେଜନା ବଢ଼ିବା ଦେଖି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଏବଂ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ବୁଝାସୁଝା ପରେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା,ଅନ୍ତୋଷ୍ଟିକ୍ରୀୟା ପାଇଁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କା ପ୍ରଦାନ ଓ ହାତୀର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ନିଶ୍ଚିତ କରିବାର ପ୍ରତିଶୃତି ଦେବା ସହିତ ବିଧାୟକ ଶ୍ରୀ ସାହୁ ଏହି ହାତୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ପ୍ରତିଶ୍ରୁତି ପରେ ଗ୍ରାମବାସୀମାନେ ଅବରୋଧ ହଟାଇଥିଲେ ଏବଂ ଯାତାୟତ ସ୍ୱାଭାବିକ ହୋଇଥିଲା। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ ସୁଶାନ୍ତଙ୍କ ପରିବାରରେ ତାଙ୍କ ବିଧବା ମା’, ସ୍ତ୍ରୀ ଓ ଦୁଇଟି ଛୋଟ ପିଲା ଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆସନ୍ତା କାଲି ତାଙ୍କୁ ବନ ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପରେ ବାକି ୯ ଲକ୍ଷ ମିଳିଯିବ ବୋଲି ଜଣାପଡ଼ିଛି।

admin

admin

About Author

Leave a comment

Your email address will not be published. Required fields are marked *