ନିରାକାରପୁରରେ ଉଦ୍ଯାପିତ ହେଲା ଶ୍ରୀ ସାଇ ଡ୍ୟାନ୍ସ ଏକାଡେମୀର ଦ୍ୱିଦିବସୀୟ ଗ୍ରାମାଞ୍ଚଳ ଲୋକକଳା ଓ ଓଡ଼ିଶା ମହୋତ୍ସବ
ନିରାକାରପୁର,୩/୧୧( ସମ୍ବାଦ ଓଡ଼ିଶା)
ଏସ :ଗୀତ, ବାଦ୍ୟ ଓ ନୃତ୍ୟ ଆଧାରରେ ଆମ ସଂସ୍କୃତିର ଗରିମାକୁ ଜୀବନ୍ତ ରଖିବା ଏବଂ ଗ୍ରାମାଞ୍ଚଳର ପ୍ରତିଭାଗୁଡ଼ିକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ‘ଶ୍ରୀ ସାଇ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ଦ୍ୱିଦିବସୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ସନ୍ଧ୍ୟାରେ ନିରାକାରପୁର ଲକ୍ଷ୍ମୀବଜାର ପ୍ରାଙ୍ଗଣରେ ଏହି ସାଂସ୍କୃତିକ ମହୋତ୍ସବ ଅତି ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି ସାଂସ୍କୃତିକ ମହୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍, କଳାକାର ଓ ସମାଜସେବୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ। ମହୋତ୍ସବର ପ୍ରଥମ ଦିବସରେ ବିପିନ କୁମାର ଜୟସିଂହ ସମାରୋହରେ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା , ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ପୂର୍ବତନ ସରପଞ୍ଚ ହୃଷୀକେଶ ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୟଶ୍ରୀ ଜେନା, ଯୁବନେତା ବିଧୂ ଭୂଷଣ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଦ୍ୱିତୀୟ ଦିବସ ଅର୍ଥାତ୍ ମଙ୍ଗଳବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ ,ଗୁରୁ ପ୍ରଭାକର ଶ୍ରୀଚନ୍ଦନ, ପଣ୍ଡିତ ବିଶ୍ୱନାଥ ରଥ, ଡ. ଗଜେନ୍ଦ୍ର ପଣ୍ଡା, ଚୌଧୁରୀ ଅରବିନ୍ଦ ଦାସ, ଅବସରପ୍ରାପ୍ତ ଲକ୍ଷ୍ମୀଧର ଶ୍ରୀଚନ୍ଦନ , ଶିକ୍ଷାବିତ ବଂଶୀଧର ଜଗଦେବ, ମନୋଜ ପଣ୍ଡା ଏବଂ ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି, କେଶବ ଚନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ନିର୍ଦେଶିକା ସଂଯୁକ୍ତା ରାଉତରାୟ ସଂଯୋଜନା କରିଥିଲେ । ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ଓ ଓଡ଼ିଶାର ପାରମ୍ପରିକ ଲୋକକଳାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ଏହି ମହୋତ୍ସବ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆଦୃତ ହୋଇଥିବାବେଳେ ବହୁ ସଂଖ୍ୟାରେ କଳାପ୍ରେମୀ ଓ ସାଧାରଣ ଜନତା ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମରା ମଜା ନେଇଥିଲେ।

