ଜଙ୍କିଆ ଟୁବୁରି ପାହାଡ଼ରେ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋତ୍ସବ ୧୩ ରୁ
ଖୋର୍ଦ୍ଧା,୧୦/୪(ସମ୍ବାଦ ଓଡ଼ିଶା): ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟ
ରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟସ୍ଥ ଟୁବୁରି ପାହାଡ଼ ସ୍ଥିତ ଶ୍ରୀ ଶ୍ରୀ ମହାବୀର ଦେବଙ୍କ ପୀଠରେ ଆସନ୍ତା ଏପ୍ରିଲ ୧୩ ତାରିଖ (ସୋମବାର) ଠାରୁ ୨୨ ତାରିଖ (ବୁଧବାର) ପର୍ଯ୍ୟନ୍ତ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହୋତ୍ସବ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏପ୍ରିଲ ୧୩ ତାରିଖରେ ଜଳଯାତ୍ରା ସହିତ ଶୁଭାରମ୍ଭ ହେବ। ମହନ୍ତ ଶ୍ରୀ କମଳ ଲୋଚନ ଦାସ ମହାରାଜଙ୍କ ଆନୁକୂଲ୍ୟରେ ପ୍ରତିଦିନ ସକାଳ ୮ ଘଟିକାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ଶ୍ରୀରାମ ଚରିତ ମାନସ ସାମୂହିକ ପାରାୟଣ ପାଠ କରାଯିବ। ପ୍ରତିଦିନ ସନ୍ଧ୍ୟା ୭:୩୦ ରୁ ରାତି ୯:୩୦ ପର୍ଯ୍ୟନ୍ତ ବିଶିଷ୍ଟ ପ୍ରବକ୍ତାମାନଙ୍କ ଦ୍ୱାରା ଶ୍ରୀରାମ କଥା ଅମୃତ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି।ନବାହ୍ନ ଅବସରରେ ବିଭିନ୍ନ ଦିନରେ ‘ଶିବ ବିବାହ’, ‘ରାମ ଜନ୍ମ’, ‘ସୀତା ବିବାହ’, ‘ରାମ ବନବାସ’, ‘ହନୁମାନଙ୍କ ଲଙ୍କା ଦହନ’ ଓ ‘ରାବଣ ବଧ’ ଭଳି ପ୍ରସଙ୍ଗ ଉପରେ ପଣ୍ଡିତ ରାମଚନ୍ଦ୍ର ସିଦ୍ଧେଶ୍ୱର ଦାସ, ବାପା କଳିକା କମଳେଶ ମହାରାଜା ଏବଂ ପଣ୍ଡିତ ପ୍ରମୋଦ କୁମାର ପଣ୍ଡାଙ୍କ ଭଳି ବିଦ୍ୱାନମାନେ ପ୍ରବଚନ ପ୍ରଦାନ କରିବେ।ଏପ୍ରିଲ ୨୨ ତାରିଖ ବୁଧବାର ଦିନ ଅପରାହ୍ନ ୪ ଘଟିକାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଏହି ଦିନ ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସମାରୋହ ଆୟୋଜନ କରାଯିବା ସହ ରାତି ୭ ଘଟିକାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଏହି ଆଧ୍ୟାତ୍ମିକ ମହୋତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦାନ କରି ପୁଣ୍ୟ ଅର୍ଜନ କରିବାକୁ ମହନ୍ତ ପୀତାମ୍ବର ଦାସ ମହାରାଜ, ମହନ୍ତ ବିଶ୍ୱମ୍ଭର ଦାସଜୀ ମହାରାଜ ଏବଂ ଜଙ୍କିଆ, ବାଲିଗାଡ଼ିଆ ଓ ନୂଆଗାଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

