Sambad Odisha

ଅପରାଧ ରାଜ୍ୟ

ମହିଳା ଅସଦାଚରଣ ଓ ଚୋରି ମାମଲା: ଅଭିଯୁକ୍ତକୁ ୩ ବର୍ଷ ଜେଲ୍‌ ଦଣ୍ଡ

 ମହିଳା ଅସଦାଚରଣ ଓ ଚୋରି ମାମଲା: ଅଭିଯୁକ୍ତକୁ ୩ ବର୍ଷ ଜେଲ୍‌ ଦଣ୍ଡ

ନିରାକାରପୁର,୨୫/୩(ସମ୍ବାଦ ଓଡ଼ିଶା): ମହିଳାଙ୍କୁ ଅସଦାଚରଣ ଏବଂ ଘରେ ପଶି ଚୋରି କରିବା ଭଳି ଏକ ସମ୍ବେଦନଶୀଳ ମାମଲାରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତ ମାନସ ମହାପାତ୍ର ଓରଫ ସୁକୁଟାକୁ ଦୋଷୀ ସାବ୍ୟସ୍ତ କରିବା ସହ ଭିନ୍ନ ଭିନ୍ନ ଦଫାରେ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।ମାମଲାର ବିବରଣୀ ଅନୁଯାୟୀ, ୨୩ ଜୁଲାଇ ୨୦୨୪ ଭୋର ପ୍ରାୟ ୪:୩୦ ସମୟରେ ନିରାକାରପୁର ଥାନା ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଅଭିଯୁକ୍ତ ମାନସ ମହାପାତ୍ର ଜଣେ ମହିଳାଙ୍କ ଘରେ ବେଆଇନ ଭାବେ ପ୍ରବେଶ କରିଥିଲା। ସେହି ସମୟରେ ମହିଳାଙ୍କ ସ୍ୱାମୀ କାମକୁ ଯାଇଥିଲେ। ଅଭିଯୁକ୍ତ ଜଣକ ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଶାଳୀନତା ହାନି କରିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ପ୍ରତିରୋଧ କରି ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା।ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଭାରତୀୟ ନ୍ୟାୟ ସଂହିତାର ଦଫା ୭୪ ମହିଳାଙ୍କ ଶାଳୀନତା ହାନି ଘଟଣାରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୩,୦୦୦ ଟଙ୍କା ଜରିମାନା,ଦଫା ୩୦୩(୨) (ଚୋରି) ଘଟଣାରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨,୦୦୦ ଟଙ୍କା ଜରିମାନା,ଦଫା ୩୩୩ (ଗୃହ ପ୍ରବେଶ) ଯୋଗୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।ଏହି ମାମଲାଟିକୁ ଅତିରିକ୍ତ ସରକାରୀ ଓକିଲ ଶ୍ରୀ ରୁଦ୍ରନୀଲ ଭଟ୍ଟାଚାର୍ଯ୍ୟ ପରିଚାଳନା କରୁଥିଲେ। ତଦନ୍ତକାରୀ ଅଧିକାରୀ ଶ୍ରୀମତୀ ଦୀପାଳିସା ନାୟକଙ୍କ ଦ୍ୱାରା କରାଯାଇଥିବା ସଠିକ୍ ତଦନ୍ତ ଏବଂ ଡେପୁଟି ଡାଇରେକ୍ଟର ଶ୍ରୀ ନଳିନୀ କାନ୍ତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଯୋଗୁଁ ଅଭିଯୁକ୍ତକୁ ଦଣ୍ଡ ମିଳିବା ସହଜ ହୋଇପାରିଛି। ପୋଲିସ ଓ ପ୍ରସିକ୍ୟୁସନର ଏହି ସଫଳ ସମନ୍ୱୟ ଆଇନର ଶାସନକୁ ଆହୁରି ସୁଦୃଢ଼ କରିଛି। ପ୍ରକାଶ ଥାଉକି ତତ୍କାଳୀନ ନିରାକାରପୁର ଥାନା ଏସଆଇ ଦିପାଳିଶା ନାୟକ ପୂର୍ବରୁ ବହୁ ମାମଲାର ସଠିକ୍ ତଦନ୍ତ କରି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *