ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି
ନିରାକାରପୁର,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମ ରେ ଅଚିହ୍ନା ରୋଗ ଗ୍ରାସ କରିଛି। କୁକୁଡ଼ା ଗୁଡ଼ିକ ହଜାର ହଜାର ସଂଖ୍ୟାରେ ମରୁଛନ୍ତି। ଫଳରେ କୁକୁଡ଼ା ଶୂନ୍ୟ ହୋଇଗଲାଣି ସ୍ଥାନୀୟ କୁକୁଡ଼ା ଫାର୍ମ ଗୁଡ଼ିକ। ଏଣେ ପ୍ରକୃତ ରୋଗ ସମ୍ପର୍କରେ ଜାଣିବା ପାଇଁ ଜଂକିଆ ର ଏକ କୁକୁଡ଼ା ଫାର୍ମ ରୁ ନମୁନା ସଂଗ୍ରହ କରାଯାଇ ଭୋପାଳ ପରୀକ୍ଷାଗାର କୁ ପଠାଯାଇଛି। ରିପୋର୍ଟ ଆସିଲେ ଜଣାପଡ଼ିବ କେଉଁ ରୋଗରେ କୁକୁଡ଼ା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି।ଦୈନଦିନ ଏପରି କୁକୁଡ଼ା ମୃତ୍ୟୁ ଯୋଗୁ ଚାଷୀ ହତାଶ ହୋଇଗଲେଣି। ଖାଲି ହୋଇଗଲାଣି ଫାର୍ମ।ଆଉ ଯାହା କୁକୁଡ଼ା ରହିଛନ୍ତି ମାଲିକ ଶସ୍ତାରେ ବିକ୍ରି କରିଦେଉଥିବା ଲକ୍ଷ୍ୟ କରାଯାଉଛି। ରୋଗ ନିରାକରଣ ପାଇଁ କଣ ପଦକ୍ଷେପ ନେବେ ସେ ସମ୍ବନ୍ଧରେ ବି କୌଣସି ପରାମର୍ଶ ପଶୁ ଚିକିତ୍ସା ଅଧିକାରୀଙ୍କ ଠାରୁ ନ ପାଇ ବାଟ ବଣା ହୋଇଗଲେଣି ଚାଷୀ ଫାର୍ମ ମାଲିକ ମାନେ। ଜଂକିଆ ମୁଣ୍ଡାଆମ୍ବ ରେ ଥିବା ଏକ କୁକୁଡ଼ା ଫାର୍ମ ର ୨୩୦୦ କୁକୁଡ଼ା ମାଟି ତଳେ ପୋତା ହେଲେଣି।କୁକୁଡ଼ା ଗୁଡ଼ିକ ଘୁମାଈ ଘୁମାଈ ମରି ଯାଇଥିବା ବେଳେ ଶତାଧିକ ଫାର୍ମ ଏବେ କୁକୁଡ଼ା ଖାଲି କରି ଦେଉଥିବା ଜଣାପଡିଛି।