ଦୈନଦିନ କୁକୁଡ଼ା ମୃତ୍ୟୁକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀ ଆତଙ୍କିତ

*ବାର୍ଡ ଫ୍ଲୁ ସନ୍ଦେହ : ନମୁନା ପରୀକ୍ଷା ପଠାଇଲେ ପଶୁ ଚିକିତ୍ସକ
* ହଜାର ହଜାର ସଂଖ୍ୟାରେ ମରୁଛନ୍ତି: ତୁରନ୍ତ ପଦକ୍ଷେପ ନେବାକୁ ଦାବି
* ସରକାର କ୍ଷତି ପୂରଣ ନ ମିଳିଲେ ଚାଷୀ ହେବେ ଦେବାଳିଆ
ନିରାକାରପୁର,୧୮/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୌଣସି ରୋଗ ସଂକ୍ରମଣ କାରଣରୁ କୁକୁଡ଼ା ମୃତ୍ୟୁବରଣ କରିଥିବାର ଦେଖାଦେଇଛି।ଦୈନଦିନ ଗୋଟିଏ ଗୋଟିଏ କୁକୁଡ଼ା ଫାର୍ମ ରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମୃତ୍ୟୁକୁ ନେଇ ଏବେ ଚିନ୍ତାରେ ଚାଷୀ ଓ ବ୍ୟବସାୟୀ। କୁକୁଡ଼ା ଗୁଡ଼ିକ ଘୁମାଇ ଘୂମାଇ ମୃତ୍ୟୁ ବରଣ କରିଥିବାରୁ ଖୋର୍ଦ୍ଧା ଜିଲ୍ଲା କୁକୁଡ଼ା ଫାର୍ମ ସଂଘ୍ ସମ୍ପାଦକ ମହେଶ ଚନ୍ଦ୍ର ରାଉତରାୟ ଚିନ୍ତା ପ୍ରକଟ କରି ଏ ସମ୍ବନ୍ଧରେ ଖୋର୍ଦ୍ଧା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଥିଲେ। ଏହିପରି ଘଟଣା ଜିଲ୍ଲାର ଜଙ୍କିଆ, ରାମେଶ୍ବର ପଂଚାୟତ ତାଳପଡା, ଟାଙ୍କୋଳ, ବେଗୁନିଆ ,ବୋଲଗଡ଼, ବଡପୋଖରୀଆ ଓ କାଶିପୁର ପ୍ରଭୁତି ସମେତ ଆହୁରି ଅନେକ ଜାଗାରେ ଦେଖାଦେଇଛି। ଆଜି ଏ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଜଂକିଆ ପଶୁ ଚିକିତ୍ସକ ଗାୟତ୍ରୀ ଖୁଣ୍ଟିଆ ଓ କିଛି ପଶୁ ସହାୟକ ଜଙ୍କିଆ ପଂଚାୟତ ମୁଣ୍ଡାଆମ୍ବ ମୌଜା ସ୍ଥିତ କୁକୁଡ଼ା ଫାର୍ମ ଆସି ସ୍ଥିରି ପରଖିବା ସହିତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି ଜଣାପଡିଛି । ସରକାର ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ନେବା ସହିତ କ୍ଷତି ପୂରଣ ପ୍ରଦାନ କରିବାକୁ ଖୋର୍ଦ୍ଧା ଜିଲ୍ଲା କୁକୁଡ଼ା ଫାର୍ମ ସମ୍ପାଦକ ମହେଶ ଚନ୍ଦ୍ର ରାଉତରାୟ ଦାବି କରିଛନ୍ତି
।

