- ଅଜଣା ଟ୍ରେଲର ଧକ୍କାରେ ମାମୁ ମୃତ, ଭଣଞ୍ଜା ଗୁରୁତର
କୋଲ୍ କରିଡର ରାସ୍ତା ଦାବିରେ ରାସ୍ତାରୋକ
ସୁନ୍ଦରଗଡ଼,୧୬/୭(ସମ୍ବାଦ ଓଡ଼ିଶା ):ଆଜି ସକାଳ ୯ଟାରେ ହେମଗିର ଥାନା ଡୁରୁବଗା- କନକତୁରା ଓସିପିଏଲ ରାସ୍ତାରେ ଅଜଣା ଟ୍ରେଲର ଧକ୍କାରେ ମାମୁ ମୃତ, ଭଣଞ୍ଜା ଗୁରୁତର। ମୃତକ ହେଲେ ଲେଫ୍ରିପଡ଼ା ଥାନା ବାଦିବାହାଲର ଶ୍ରବଣ ଗଉଡ଼ (୩୪)। ଗୁରୁତର ଭଣଞ୍ଜା ଶୁଭମ ଡିଲା (୧୪)॥ ତାଙ୍କ ଘର ହେମଗିର ଥାନା କନିକା ପଞ୍ଚାୟତ ତିଲିଆରେ। ଶ୍ରବଣ ଏମସିଏଲ ଡୁଲିଙ୍ଗା ଖଣିରେ କାମ କରୁଥିଲେ। ଆଜି ସକାଳୁ ତିଲିଆ ନିଜ ନାନୀଭିଣୋଇ ଘରୁ ଭଣଞ୍ଜା ଶୁଭମକୁ ସ୍କୁଟି (ଓଡି୨୩ଟି- ୦୮୯୬)ରେ ନେଇ କନିକା- ଡୁରୁବଗା- କନକତୁରା ରାସ୍ତାରେ ବାଦିବାହାଲକୁ ଯାଉଥିବାବେଳେ ଓସିପିଏଲ କୋଇଲା ଖଣିକୁ ଯାଉଥିବା ଏକ ଟ୍ରେଲର୍ ପଛପଟୁ ଧକ୍କା ଦେଇଥିଲେ। ଭଣଞ୍ଜା ସ୍କୁଟିରୁ ଛିଟିକି ଦୂରରେ ପଡ଼ିଥିବାବେଳେ ମାମୁଙ୍କ ଉପରେ ଗାଡ଼ି ଚଢ଼ିଗଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ଯୁ ହୋଇଗଲା। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ପରିବାରକୁ କ୍ଷତିପୂରଣ ଓ ସ୍ଵତନ୍ତ୍ର କୋଲ୍ କରିଡର ରାସ୍ତା ଦାବି କରି ରାସ୍ତାରୋକ କରିଛନ୍ତି।ସୂଚନା ପାଇ ହେମଗିର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

