ରେଳବାଇ ପୋଲିସର ଶ୍ରେଷ୍ଠ ସହକାରୀ ଆରକ୍ଷୀ ନିରୀକ୍ଷକ ଭାବେ ଶ୍ରୀ ଦିଲ୍ଲୀପ ସାହୁ ପୁରସ୍କୃତ
ନିରାକାରପୁର,୧/୪(ସମ୍ବାଦ ଓଡ଼ିଶା): ସରକାରୀ ରେଳବାଇ ପୋଲିସ, କଟକ ଜିଲ୍ଲା ପକ୍ଷରୁ ନିରାକାରପୁର ରେଳବାଇ ପୋଲିସ ସହକାରୀ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦିଲ୍ଲୀପ ସାହୁଙ୍କୁ ୨୦୨୫ ବର୍ଷର ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ମାନିତ କରାଯାଇଛି। ନିଜର ଦକ୍ଷତା, ଶୃଙ୍ଖଳା, ସମୟାନୁବର୍ତ୍ତିତା ଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ସେ ଏହି ଗୌରବ ଅର୍ଜନ କରିଛନ୍ତି।ତାଙ୍କର ଗତ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟକୁ ଭିତ୍ତି କରି ବିଚାରକ ମଣ୍ଡଳୀ ତାଙ୍କୁ ‘ଶ୍ରେଷ୍ଠ ସହକାରୀ ଆରକ୍ଷୀ ନିରୀକ୍ଷକ’ ଭାବେ ମନୋନୀତ କରିଥିଲେ। ରେଳବାଇ ପୋଲିସ ପ୍ରଶାସନ ତରଫରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦ୍ଗାତା (ଓ.ପି.ଏସ.) ତାଙ୍କୁ ମାନପତ୍ର ସହ ୧୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।ତାଙ୍କର ଏହି କାର୍ଯ୍ୟଦକ୍ଷତା ବିଭାଗ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ, ଆଗାମୀ ଦିନରେ ମଧ୍ୟ ସେ ଏହିଭଳି ମନୋଭାବ ନେଇ କାର୍ଯ୍ୟ କରି ପୋଲିସ ବିଭାଗର ସୁନାମ ବଜାୟ ରଖିବେ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ସାହୁଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

