ଜଙ୍କିଆ ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ: ୧୦ ଗ୍ରାମ ନିଶାଦ୍ରବ୍ୟ ସହ ବାଇକ୍ ଓ ନଗଦ ଟଙ୍କା ଜବତ
ଖୋର୍ଦ୍ଧା, ୧୭/୩(ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ନିଶା କାରବାର ଉପରେ ପୋଲିସ ଆଜି ଚଢ଼ାଉ କରିଥିବା ଜଣାପଡିଛି। ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଅଣ୍ଡରପାସ୍ ନିକଟରେ ଚଢ଼ାଉ କରି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ବ୍ରାଉନସୁଗାର ଜବତ କରିଛି।ଗତକାଲି (୧୬ ମାର୍ଚ୍ଚ) ସକାଳ ପ୍ରାୟ ୦୮:୩୧ ସମୟରେ ଏସ.ଆଇ. ଦେବସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗୋଳବାଇ ଅଣ୍ଡରପାସ୍ ପାଖରେ ଗାଡ଼ି ମଟର ଯାଞ୍ଚ କରୁଥିଲେ। ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଜଣେ ଯୁବକକୁ ଅଟକାଇ ପଚରାଉଚରା କରିବାରୁ ନିଶା କାରବାରର ପର୍ଦ୍ଦାଫାଶ ହୋଇଥିଲା।ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ମଡେଲ ଥାନା ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ପ୍ରତାପ ଓରଫ ମିଲୁ ମଙ୍ଗରାଜ (୩୦)। ପୋଲିସ ତାଙ୍କ ନିକଟରୁ ୧୦ ଗ୍ରାମ (ପ୍ୟାକେଟ ସହ ଓଜନ ୧୧ ଗ୍ରାମ) ବ୍ରାଉନ ସୁଗାର,୧୦,୦୦୦ ଟଙ୍କା, ଏକ ଧୂସର ରଙ୍ଗର ୟାମାହା ବାଇକ୍ ନଂ(OD-33AF-0576), ଏକ ରିଅଲମି ସ୍ମାର୍ଟଫୋନ୍ ଜବତ କରିଛି। ପୋଲିସର ପ୍ରାଥମିକ ଜେରାରୁ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ, ସେ ଖୋର୍ଦ୍ଧା ଅଞ୍ଚଳର ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଏହି ବ୍ରାଉନସୁଗାର ସଂଗ୍ରହ କରିଥିଲେ। ସ୍ଥାନୀୟ ଯୁବକମାନଙ୍କୁ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରି ଅଧିକ ମୁନାଫା କମାଇବା ତାଙ୍କର ଲକ୍ଷ୍ୟ ଥିଲା। ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ଵ ରେ ଏହି ଚଢ଼ାଉରେ ଏସ.ଆଇ. ଦେବସ୍ମିତା ବେହେରା, ଏ ଏସ ଆଇ ତୁଷାରକାନ୍ତ ନାୟକ ସହ ପି.ଏସ.ଆଇ ମାନସ ସାହା, ସି.ଏ.ଏସ.ଆଇ ନିହାର ରଞ୍ଜନ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ ପ୍ରକ୍ରିୟା ଶେଷ ହୋଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

