Sambad Odisha

ରାଜ୍ୟ

ଅଟକ ରଖି ପୁଲିସର ତନାଘନା, ମାରାଥନ୍ ଜେରା ଜାଲ କାଗଜପତ୍ରରେ ଆହୁରି ଏକାଧିକ ଥିବା ସନ୍ଦେହ

ପାରାଦୀପରୁ ଠାବ ହେଲେ ବାଂଲାଦେଶୀ ପରିବାର

 

ଜଳପଥ ଦେଇ କୋଲକାତା, ବସ ଯୋଗେ ଓଡ଼ିଶା ଆସିଥିଲେ

 

ଅଟକ ରଖି ପୁଲିସର ତନାଘନା, ମାରାଥନ୍ ଜେରା

ଜାଲ କାଗଜପତ୍ରରେ ଆହୁରି ଏକାଧିକ ଥିବା ସନ୍ଦେହ

ଜଗତସିଂହପୁର,୭/୭(ସମ୍ବାଦ ଓଡ଼ିଶା): ସାରା ରାଜ୍ୟରେ ବାଂଲାଦେଶୀ ଧରପଗଡ଼ ଅଭିଯାନ ଚାଲିଥିବା ବେଳେ ପାରାଦୀପରେ ଏକ ପରିବାର ଠାବ ହୋଇଛନ୍ତି। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନ ଥିବା ବେଳେ ଗଳାବାଟ ଦେଇ ପାରାଦୀପରେ ପହଞ୍ଚି ଥିବା ଲକ୍ ଥାନ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଜଣେ ବ୍ୟକ୍ତି ସେମାନଙ୍କୁ ବସ୍ ଯୋଗେ ପାରାଦୀପ ଆଣି ଏଠାରେ ଭଡ଼ା ଘରେ ରଖିଥିବା ଜଣାପଡ଼ିଛି। ବାଂଲାଦେଶୀ ବୋଲି ସ୍ପଷ୍ଟ ହେବା ପରେ ଉପଜିଲ୍ଲାପାଳ, କୁଜଙ୍ଗ ତହସିଲଦାର ଲକ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ହାସଲ କରିଛନ୍ତି। ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଅଠରବାଙ୍କୀ ମେଡିକାଲ ଡାକ୍ତର ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି।  ମିଳିଥିବା ସୂଚନା ଅନୁସାରେ, ଧରା ପଡ଼ିଥିବା ପରିବାର ଗତ କିଛିଦିନ ତଳେ ପାରାଦୀପ ଆସିଛନ୍ତି। ପରିବାରରେ ବାପା, ମା. ଝିଅ ଓ ପୁଅ ରହିଛନ୍ତି। ଲକ୍ ଥାନା ଅନ୍ତର୍ଗତ ଜରଦାରୀପଡ଼ାରେ ଭଡ଼ା ଘରେ ଥିବା ବେଳେ ପୁଲିସ ଯାଞ୍ଚ କରୁଥିବା ବେଳେ ଧରାପଡ଼ିଥିଲେ। ପରେ ସେମାନଙ୍କୁ ଥାନାକୁ ଆଣି ପୁଲିସ ଟିମ୍ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଜଣାପଡ଼ିଥିଲା ସେମାନେ ଜଳପଥ ଦେଇ ସୁନ୍ଦରବନରେ ପହଞ୍ଚିଥିଲେ। ସେଠାରୁ କୋଲକାତା ଆସିଥିଲେ। ଜରଦାରୀପଡ଼ାର ଜଣେ ବ୍ୟକ୍ତି କୋଲକାତା ବସଷ୍ଟାଣ୍ଡରେ ଥିବା ବେଳେ ସେମାନଙ୍କ ସହ ବାଂଲାଦେଶୀ ପରିବାରର ଦେଖା ସାକ୍ଷାତ ହୋଇଥିଲା। କଥାବାର୍ତ୍ତା ପରେ ବାଂଲାଦେଶୀ ପରିବାର ସେମାନଙ୍କ ଓ ନାବାଳିକା ଝିଅକୁ ନିର୍ଯାତନା ଦିଆ ଯାଉଥିବାରୁ ପଳାଇ ଆସିଥିବା କହିଥିଲେ। ଜରଦାରୀପଡ଼ାର ବ୍ୟକ୍ତି ସେମାନଙ୍କୁ ପାରାଦୀପ ଆସିବା ପାଇଁ କହିବା ସହ ଏଠାରେ ରୋଜଗାର ବ୍ୟବସ୍ଥା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇ ଆଣିଥିଲେ। ଜରାଦାରୀପଡ଼ାରେ ପହଞ୍ଚିବା ପରେ ଏକ ଭଡ଼ା ଘରେ ରହିଥିଲେ। କିନ୍ତୁ ଅନେକ କଥା ସନ୍ଦେହ ଭିତରକୁ ଆସିଛି। ଯେଉଁ ବ୍ୟକ୍ତି ବାଂଲାଦେଶୀ ପରିବାରକୁ ଏଠାକୁ ଆଣିଥିଲେ ସେ କେମିତି ସେମାନଙ୍କ ସହ ସମ୍ପର୍କରେ ଆସିଥିଲେ? ପୂର୍ବରୁ କୌଣସି ଯୋଗାଯୋଗ ରହିଥିଲା କି? କେବଳ ଏହି ଗୋଟିଏ ନା ଆହୁରି ବାଂଲାଦେଶୀଙ୍କୁ ସେଠାରେ ଆଶ୍ରୟ ଦିଆଯାଇଛି? ଏମିତି ଅନେକ ପ୍ରଶ୍ନ ଆସିଛି। ପୁଲିସ ସବୁ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ପରିବାର ହୋଇଥିବାରୁ ଓ ନାବାଳକ ଏବଂ ନାବାଳିକା ଥିବାରୁ ପୁଲିସ ସେମାନଙ୍କ ପରିଚୟ ଗୁପ୍ତ ରଖିଛି।ଅନ୍ୟପକ୍ଷରେ ପାରାଦୀପକୁ ବାଂଲାଦେଶୀଙ୍କୁ ଅଣାଯିବା ପଛରେ ଏକାଧିକ ରାକେଟ୍ କାମ କରୁଥିବା ଜଣାପଡ଼ିଛି। ବାଂଲାଦେଶୀ ପାରାଦୀପରେ ରହିବା ପରେ ସେମାନେ ଏଠାରେ ପରିଚୟପତ୍ର ବାହାର କରି ଦେଉଛନ୍ତି। ମାଛ ମାରିବା ସହ ବିଭିନ୍ନ କଳ କାରଖାନାରେ ମଧ୍ୟ କାମ କରୁଛନ୍ତି। ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେନ୍ଦ୍ରାପଡ଼ା ପରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବାଂଲାଦେଶୀ ଥିବା କୁହାଯାଉଛି। ଗତ କିଛିଦିନ ହେଲା ଯାଞ୍ଚ ଚାଲିଥିବା ବେଳେ ପ୍ରଥମ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ଆଗକୁ ଆହୁରି ହୋଇପାରନ୍ତି ବୋଲି କୁହାଯାଉଛି।

admin

admin

About Author

Leave a comment

Your email address will not be published. Required fields are marked *