Sambad Odisha

ରାଜ୍ୟ

ଅକ୍ଷୟ ତୃତୀୟା ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ମରାମତି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି ଜାରି ରହିଛି। ଗତ ଡିସେମ୍ବର ୧୭ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଚଳିତ ମାସ ଅକ୍ଷୟ ତୃତୀୟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶୀଘ୍ର ଶେଷ ପାଇଁ ପ୍ରୟାସ ଜାରି ରହିଛି। ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାର ଆଗାମୀ ୧୦୦ ବର୍ଷ ପାଇଁ ସୁରକ୍ଷିତ ରହିପାରିବ।

ବର୍ତ୍ତମାନ ଭିତର ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଭିତର ଓ ବାହାର ରତ୍ନ ଭଣ୍ଡାରକୁ ସଂଯୋଗ କରୁଥିବା ୫ଟି ଜରାଜୀର୍ଣ୍ଣ ବିମ୍‌କୁ ବଦଳାଯାଇ ଷ୍ଟିଲ୍‌ ବିମ୍‌ ଲଗାଯାଇଛି ବୋଲି ଜଷ୍ଟିସ୍‌ ରଥ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିରରେ ପର୍ବପର୍ବାଣି ଏବଂ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ପାଇଁ ଅନେକ ସମୟରେ ମରାମତି କାର୍ଯ୍ୟ ପ୍ରଭାବିତ ହେଉଛି। ପ୍ରତ୍ୟେକ ଦିନ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ପରେ ମରାମତି ପାଇଁ ମାତ୍ର ୩ରୁ ୪ଘଣ୍ଟା ସମୟ ମିଳି ପାରୁଛି।

ଆସନ୍ତା ରଥଯାତ୍ରା ପୂର୍ବରୁ ସ୍ନାନପୂର୍ଣ୍ଣିମା ଓ ପଟିସେବା ସମୟରେ ଗୁରୁତ୍ୱପୂର୍ଣ୍ଣ ନୀତି ଯୋଗୁଁ ଶ୍ରୀମନ୍ଦିରରେ କୌଣସି ମରାମତି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। ଚଳିତ ମାସ ୩୦ ଅର୍ଥାତ ଅକ୍ଷୟ ତୃତୀୟା ସୁଦ୍ଧା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରହିଛି। ରତ୍ନଭଣ୍ଡାର ମରାମତି ପରେ ଅଳଙ୍କାର ଗଣତିମଣତି କରାଯିବ ବୋଲି ସୂଚନା ମିଳିଛି।

admin

admin

About Author

Leave a comment

Your email address will not be published. Required fields are marked *