ନିରାକାରପୁର ରେଳ ଫାଟକ ନିକଟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ
- ଲୋକେ ଛାଡ଼ୁ ନାହାଁନ୍ତି, ଟ୍ରେନ ଯାଇପାରୁନି

ନିରାକାରପୁର, ୨୧/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ନୂଆ ଜଗନ୍ନାଥ ସଡ଼କରେ ଥିବା ରେଳ ଫାଟକ ରେ ଦିନକୁ ଦିନ ଭିଡ ବୃଦ୍ଧି ପାଇବାରେ ଲାଗିଛି। ନା ହେଉଛି ଓଭର ବ୍ରିଜ, ନା ହେଉଛି ବାଇପାସ ନା ହେଉଛି ଅଣ୍ଡର ପାସ । ଖାଲି ହେବ ହେବ ବୋଲି ଶୁଣିବାକୁ ମିଳୁଛି। ବିଭାଗ ତରଫରୁ ଖାଲି ମାପଚୁପ ପ୍ରହସନ ଚାଲିଛି। ଫାଇଲ ତା ବାଟରେ ପଡ଼ିଛି।ଦୈନଦିନ ରେଳବାଇର ଏହି ଗେଟ ଲାଗି ଲକ୍ଷ ଲକ୍ଷ ଟଙ୍କା ବି କ୍ଷତି ହେଉଛି। ଲୋକେ ଘଣ୍ଟା ଘଣ୍ଟା ଧରି ଖରା,ବର୍ଷାରେ ଛିଡା ହେଉଛନ୍ତି । ଜରୁରୀକାଳୀନ ସେବା ଯାନବାହାନ ଅଟକି ରହିଯାଉଛି। ଯାହାର ଜରୁରୀ କାର୍ଯ୍ୟ ଏହି ସ୍ଥାନରେ ବିଳମ୍ବ ଲାଗି ବିଗିଡି ଯାଉଛି। ଏହି ବାଟ ଦେଇ ଯାଉଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ , ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯାଉଥିଲେ ବି କଣ ପାଇଁ ସମସ୍ତେ ନିରୁପାୟ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଆଜି ସନ୍ଧ୍ୟାରେ ୭ ଟା ସମୟରେ ଟ୍ରେନ ଆସି ସିଗ୍ନାଲ ନିକଟରେ କିନ୍ତୁ ଲୋକେ ଗେଟ କିପର କୁ ଗେଟ ପକାଇବାକୁ ଦେଲେ ନାହିଁ। ଦୁଇ ପେଟ ଦୁଇଟି ଟ୍ରେନ ଅଧଘଣ୍ଟା ଛିଡା ହେଲା ଲୋକେ, ଯାନବାହାନ ଅତିକ୍ରମ କଲା ପରେ ନିରୁପାୟ ଗେଟ ଜଗୁଆଳି ଗେଟ ପକାଇଲା ପରେ ଟ୍ରେନ ଅତିକ୍ରମ କଲା। ଏବେ ଟ୍ରେନ ସଂଖ୍ୟା ବଢ଼ିବାକୁ ପୁରୀ ଯାତାୟତ କରିବାକୁ ନୂଆ ଜଗନ୍ନାଥ ସଡ଼କ ରେ ଯାତ୍ରୀ ଓ ସ୍ଥାନୀୟ ବିଭିନ୍ନ ପଂଚାୟତ ଲୋକମାନଙ୍କ ଭିଡ ଅସମ୍ଭବ ହେଉଛି। ଲୋକେ ଗେଟ ପକାଇବାକୁ ଦେଉ ନ ଥିବାରୁ ଗେଟ ଜଗୁଆଳି ଥରେ ଗେଟ ପକାଇଲେ ଭୟରେ ୨/୩ ଟି ଟ୍ରେନ ଅତିକ୍ରମ ପରେ ଗେଟ ଖୋଲିଛି ଏଣେ ଗେଟ ବାରମ୍ବାର ପଡୁଥିବାରୁ ଲୋକେ ଦୀର୍ଘ ସମୟ ଛିଡା ହେବାର ଭୟରେ ଗେଟ ଅତିକ୍ରମ କରିବାକୁ ଗେଟ ପକାଇବାକୁ ଦେଉ ନାହାଁନ୍ତି। ଏଭଳି ସ୍ଥିତିରେ ସରକାର ଓ ରେଳ ବିଭାଗ ତରଫରୁ କୌଣସି ସମାଧାନ ନ ହେବା ପର୍ଯ୍ୟନ୍ତ ଟ୍ରାଫିକ ପରିଚାଳନା ପାଇଁ ରେଳ ବିଭାଗ ଓ ସ୍ଥାନୀୟ ପୁଲିସ ସ୍ଥାୟୀ ପୁଲିସ ମୁତୟନ କରିବାକୁ ଦାବି ହେଉଛି
।

