Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ସରିଲା ରତ୍ନଭଣ୍ଡାର ମରାମତି : ରୁପା ଛାଉଣୀ ହେବ ବାହାର ଭଣ୍ଡାର ଘର ଦ୍ୱାର

ସରିଲା ରତ୍ନଭଣ୍ଡାର ମରାମତି : ରୁପା ଛାଉଣୀ ହେବ ବାହାର ଭଣ୍ଡାର ଘର ଦ୍ୱାର

ପୁରୀ,୭/୭(ସମ୍ବାଦ ଓଡ଼ିଶା ): ଶେଷ ହୋଇଛି ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମରାମତି। ମୋଟ ୯୫ ଦିନରେ ୩୩୨ ଘଣ୍ଟା ୪୭ ମିନିଟ କାମ କରାଯାଇଛି। ଏବେ ଶ୍ରୀମନ୍ଦିରର ବାହାର ଓ ଭିତର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ। ମହାପ୍ରଭୁଙ୍କ ଅପାର କରୁଣା, ଆଶୀର୍ବାଦ ଯୋଗୁ ଧାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।ସୋମବାର ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଠାକୁରଙ୍କର ଅଧରପଣା ନୀତି ଚାଲିଥିବା ବେଳେ ସନ୍ଧ୍ୟାରେ ଗଣମାଧ୍ୟମକୁ ରତ୍ନଭଣ୍ଡାର ମରାମତି ପୂର୍ଣ୍ଣାଙ୍ଗର ସୂଚନା ପ୍ରଦାନ କରିଥିଲେ ମୁଖ୍ୟ ପ୍ରଶାସକ। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇ ଡ. ପାଢୀ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏଏସ୍‌ଆଇ ଦ୍ୱାରା ଶେଷ ହୋଇଛି। ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ରତ୍ନଭଣ୍ଡାର ସୁରକ୍ଷିତ ବୋଲି କୁହାଯାଇପାରିବ। ତେବେ ନିଷ୍ପତ୍ତି ଅନୁଯାୟୀ, ୨୦୧୪ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେହିଦିନ ବାହାର ଭଣ୍ଡାରଘରୁ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସମୟ ଅଭାବରୁ ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ହୋଇପାରି ନ ଥିଲା। କିନ୍ତୁ ପ୍ରଥମଥର ପ୍ରାୟ ୪ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାର ଖୋଲିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଜୁଲାଇ ୧୮ରେ ଭିତର ଭଣ୍ଡାରର ସମସ୍ତ ସ୍ୱର୍ଣ୍ଣଳଙ୍କାର ଖଟଶେଜ ଘର (ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌)କୁ ସ୍ଥାନାନ୍ତର କରାଯାଇଥିଲା। ଅଗଷ୍ଟ ୨୩ରେ ଭଣ୍ଡାର ଘରେ ଯେତେ ବି ଖାଲି ସିନ୍ଦୁକ ଥିଲା ତାହା ନୀଳାଦ୍ରି ମ୍ୟୁଜିୟମ ପାଖ ଘରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରତ୍ନଭଣ୍ଡାର ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଯାଞ୍ଚ ଏବଂ ଟେକ୍ନିକାଲ ସର୍ଭେ କାମ ଆରମ୍ଭ ହୋଇଥିଲା। ରତ୍ନଭଣ୍ଡାରର ଲେଜର ସ୍କାନିଂ, ରାଡାର ପେନିଟ୍ରେଣ୍ଟିଂ ସର୍ଭେ ଆଦି ବୈଷୟିକ ଯାଞ୍ଚ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୮ରେ ଏଏସ୍‌ଆଇର ଆଡିଶନାଲ ଡିଜି (ସଂରକ୍ଷଣ) ଆସି ସଂରକ୍ଷଣର ତଦାରଖ କରିଥିଲେ। ସେପ୍ଟେମ୍ବର ୨୪ରେ ଏଏସ୍‌ଆଇ ଅଧିକାରୀମାନଙ୍କ ସ୍ୱତନ୍ତ୍ର ଟିମ୍‌ ଯାଞ୍ଚ କରିଥିଲା।ଭିତର ରତ୍ନଭଣ୍ଡାରର କବାଟ ମରାମତି ହୋଇଛି। ବାହାର ଭଣ୍ଡାରର ଆଇରନ ଗେଟ୍‌ ବଦଳାଯାଇ ଷ୍ଟେନଲେସ୍‌ ଷ୍ଟିଲ ଗେଟ୍‌ କରାଯାଇଛି। ଏହାର ବାହାରେ ବର୍ମାଟିକ କାଠର କବାଟ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ବାହାର କାଠ ଦ୍ୱାରକୁ ରୁପା ଛାଉଣୀ କରାଯିବ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଭଣ୍ଡାର ମେକାପ ସେବକ, ଗଜପତିଙ୍କ ପ୍ରତିନିଧି ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସମ୍ମୁଖରେ ଏହି ଗେଟ୍‌ ସିଲ୍‌ କରାଗଲା। ଭିତର ରତ୍ନଭଣ୍ଡାର ଗେଟ୍‌ ତାଲାର ଚାବି ଏବେ ମନ୍ଦିର ପ୍ରଶାସନ ପାଖରେ ଅଛି। ଭିତର ଭଣ୍ଡାର ଦ୍ୱାରକୁ ସୁନା ଛାଉଣୀ କରାଯିବା ଲାଗି ଯୋଜନା ରହିଛି।ଏହାପରେ ଯାଞ୍ଚ ରିପୋର୍ଟ ଆଧାରରରେ ଡିସେମ୍ବର ୧୭ ତାରିଖରେ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୬ ମାସ ଧରି କାମ କରାଯାଇଥିଲା। କାର୍ତ୍ତିକ ବ୍ରତ, ସ୍ୱତନ୍ତ୍ର ପର୍ବପର୍ବାଣି ଏବଂ ନୀତି ବହୁଳ ଦିନରେ ମରାମତି ବନ୍ଦ ରହୁଥିଲା। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ବ୍ୟାଘାତ ନ ହେବ ତାକୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ଲେଜର ସ୍କାନିଂ ଓ ଜିପିଆରଏସ୍‌ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଏଏସଆଇ ପକ୍ଷରୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଇଛି। ଏହା ମଧ୍ୟରେ ଜଏଣ୍ଟ ସିଲିଂ, ଗ୍ରାଉଟିଂ, ଷ୍ଟେନଲେସ୍‌ ଷ୍ଟିଲ ବକ୍ସ ବିମ୍‌, କେମିକାଲ ୱାଶିଂ କରାଯାଇଛି। ୯୫ ଦିନରେ ୩୩୨ ଘଣ୍ଟା ୪୭ ମିନିଟ୍‌ ମରାମତି ଓ ସଂରକ୍ଷଣ କାମ ହୋଇଛି। ମୋଟ ୮୦ ଜଣ ଶ୍ରମିକ ମରାମତି କାମରେର ନିୟୋଜିତ ଥିଲେ। ନୂଆ ଗ୍ରାନାଇଟ୍‌ ଚଟାଣ ସାଙ୍ଗକୁ ରତ୍ନଭଣ୍ଡାର ବାହାର ପାଶ୍ୱର୍ରେ କେମିକାଲ ପ୍ଲାଷ୍ଟରିଂ ହୋଇଛି। ଭିତର ଭଣ୍ଡାରରେ ୯ଟି ଏବଂ ବାହାର ଭଣ୍ଡାରରେ ୬ଟି ଏହିପରି ମୋଟ ୧୫ଟି ନୂଆ ଷ୍ଟେନଲେସ୍‌ ଷ୍ଟିଲ ବକ୍ସ ବିମ୍‌ ବିଭିନ୍ନ ସାଇଜର ଲଗାଯାଇଛି।ଏସ୍‌ଓପି ଅନୁଯାୟୀ, ପ୍ରଥମେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରୁ ଭିତର ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ଜଉମୁଦ ଦିଆଯାଇ ଏହାର ଚାବି ଟ୍ରେଜେରୀରେ ରହିବ। ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରୁ ଅଳଙ୍କାର ବାହାର ଭଣ୍ଡାରକୁ ସ୍ଥାନାନ୍ତର ପରେ ଏହାର ଚାବି ସିଲ୍‌ କରାଯାଇ ରଖାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗଣତି ମଣତି ହେବ। ୧୯୭୮ ମସିହା ତାଲିକା ସହ ମେଳ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢୀ।

admin

About Author

Leave a comment

Your email address will not be published. Required fields are marked *