Sambad Odisha

ବ୍ୟବସାୟ ରାଜ୍ୟ

ବାର୍ଡ ଫ୍ଲୁ ପାଇଁ ଚାଲିଛି ଫାର୍ମ ବିଶୋଧନ : ଚିକେନ ବାରଣ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର

ବାର୍ଡ ଫ୍ଲୁ ପାଇଁ ଚାଲିଛି ଫାର୍ମ ବିଶୋଧନ : ଚିକେନ ବାରଣ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର

୩୩ ଫାର୍ମରୁ ୬ ଟି ଫାର୍ମ ହୋଇଛି ବିଶୋଧନ

କୁକୁଡ଼ା ଜାତୀୟ ଖାଦ୍ୟ ବିକ୍ରି ମାନ୍ଦା

ନିରାକାରପୁର,୨୭/୭: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଅଂଚଳରେ ଥିବା କୁକୁଡ଼ା ଫାର୍ମରେ ହଜାର ହଜାର କୁକୁଡ଼ା ମୃତ୍ୟୁ ପରେ ପ୍ରାଣୀ ବିଭାଗ ତରଫରୁ ଭୋପାଳ ରିପୋର୍ଟ ରୁ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ଉକ୍ତ ଫାର୍ମ ର ସମସ୍ତ କୁକୁଡ଼ା ମରା ଯାଇଥିବାବେଳେ ୧ କିଲୋମିଟର ମଧ୍ୟରେ ଥିବା ୩୩ ଟି ଫାର୍ମ ମଧ୍ୟରୁ କୁକୁଡ଼ା ଥିବା ଡମଣଭୂମି ର ଏକ ଫାର୍ମ ର ସମସ୍ତ କୁକୁଡ଼ାକୁ ଗତ କାଲି ପ୍ରାଣୀ ବିଭାଗ ତରଫରୁ ମରା ଯାଇଛି। ଆଜି ସୁଦ୍ଧା ବିଭାଗ ତରଫରୁ ୬ ଟି ଫାର୍ମ କୁ ବିଶୋଧନ କରାଯାଇଛି। ଆହୁରି ୨୭ ଟା ଫାର୍ମ ବିଶୋଧନ କରାଯିବ। ସେହିପରି ଉକ୍ତ ଅଞ୍ଚଳ ରୁ ୧ କିଲୋମିଟର ଦୁରତ୍ଵ ମଧ୍ୟରେ ଚିକେନ ବିକ୍ରି ଓ ଚିକେନ ଜାତୀୟ ଖାଦ୍ୟ ପଦାର୍ଥ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଗତ ୨୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ତହସିଲଦାର ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ପିଲାମାନଙ୍କୁ ଅଣ୍ଡା ଖାଇବାକୁ ଦେବାକୁ ବାରଣ କରାଯାଇଛି। ସେହିପରି ଉକ୍ତ ଅଞ୍ଚଳ ସମେତ ନିରାକାରପୁର ଅଂଚଳରେ ଚିକେନ ଜାତୀୟ ଖାଦ୍ୟ ନ ଖାଇବାକୁ ମାଇକ ଯୋଗେ ପ୍ରଚାର କରିବା ପରେ ଆଜିଠାରୁ ଚିକେନ ବ୍ୟବସାୟ କିଛି ମାତ୍ରାରେ ମାନ୍ଦା ହୋଇଥିବା ଜଣାପଡିଛି। ଆଜିର ବିଶୋଧନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ ରବିନାରାୟଣ ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡ ଯଶୋବନ୍ତ ପ୍ରଧାନ ( ରୋଗ ନିୟନ୍ତ୍ରକ), ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ରଶ୍ମି କାନ୍ତ ପାଲଟାସିଂହ ଓ ଜିଲ୍ଲା ରୋଗ ନିୟନ୍ତ୍ରକ ଅଧିକାରୀ ଡ ଲିକେଶ କନୁନଗୋ ପ୍ରମୁଖ ଯୋଗଦେଇଥିଲେ।

 

admin

About Author

Leave a comment

Your email address will not be published. Required fields are marked *