ବୃନ୍ଦାବନପୁର ଅମାନୁଷିକ ଘଟଣା
ଉତ୍ୟକ୍ତ ଯୁବକଙ୍କ କାଠ ଫାଳିଆରେ ବଡ଼ବୋଉ ମୃତ୍ୟୁ ,ସମ୍ପର୍କୀୟ ମହିଳା ଗୁରୁତର
ଖୋର୍ଦ୍ଧା, ୧୫/୧୦(ସମ୍ବାଦ ଓଡ଼ିଶା): ନିଜ ପୁତୁରା ଆକ୍ରମଣରେ ବଡ଼ବୋଉ ଙ୍କ ମୃତ୍ୟୁ ଘଟଣା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ନୂଆଗଡ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଘଟିଥିବାବେଳେ ଜଣେ ସମ୍ପର୍କୀୟ ମହିଳା ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ମଙ୍ଗଳବାର ମଧ୍ୟାହ୍ନ ସମୟରେ ବୃନ୍ଦାବନପୁର ଗ୍ରାମ ଜଗବନ୍ଧୁ ସ୍ୱାଇଁଙ୍କ ଘର ନିକଟରେ ତାଙ୍କ ପୁତୁରା ସର୍ବେଶ୍ଵର ସ୍ୱାଇଁଙ୍କ ପୁତ୍ର ଲିଙ୍ଗରାଜ ସ୍ୱାଇଁ ( ୨୯) ଗାଳିଗୁଲଜ କରୁଥିବାବେଳେ ଉକ୍ତ ସମୟ ରେ ଜଗବନ୍ଧୁଙ୍କ ପତ୍ନୀ ତଥା ଲିଙ୍ଗରାଜଙ୍କ ବଡ଼ବୋଉ ହେମଲତା ସ୍ୱାଇଁ (୬୨) ବର୍ଷ ତାଙ୍କ ଘର ସାମ୍ନାରେ ଗାଳିଗୁଲଜ କରୁଛୁ ଘରେ ବୋହୂ ମାନେ ଅଛନ୍ତି କହି ବାରଣ କରିଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଲିଙ୍ଗରାଜ ଗାଳିଗୁଲଜ କରିବା ସହିତ ଏକ କାଠ ଫାଳିଆ ରେ ଆକ୍ରମଣ କରିବାରୁ ହେମଲତା ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏହି ସମୟରେ ଲିଙ୍ଗରାଜଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଆକ୍ରମଣରେ ସହଯୋଗ କରିଥିଲେ ବୋଲି ଲିଖିତ ଅଭିଯୋଗରୁ ଜଣାପଡିଛି। ପରେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ହେମଲତା ଦୁଇ ବୋହୂ ଓ ସମ୍ପର୍କୀୟ ମହିଳା ସୁଜାତା ସ୍ୱାଇଁ ଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। କାଠ ଫାଳିଆ ମାଡ଼ରେ ପଡୋଶୀ ବିକାଶ ସ୍ୱାଇଁଙ୍କ ପତ୍ନୀ ସୁଜାତା ସ୍ୱାଇଁଙ୍କ ମୁଣ୍ଡ ଫାଟି ଥିବାବେଳେ ସେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ହେମଲତା ଙ୍କୁ ପରିବାର ଲୋକେ ପ୍ରଥମେ ଚାନ୍ଦପୁର ହସ୍ପିଟାଲ ଚିକିତ୍ସା ପାଇଁ ଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଛେଦ ପଠାଇ ତଦନ୍ତ କରୁଥିବା ଜଣାପଡିଛି।ଆକ୍ରମଣକାରୀ ଲିଙ୍ଗରାଜ ସମେତ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ଆଜି ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଥିବା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ଠାରୁ ଜଣାପଡିଛି।