Sambad Odisha

କୃଷି ରାଜ୍ୟ ସ୍ପେଶାଲ

ଲଗାଣ ବର୍ଷା ବାଧକ, ଗଜା ହେଲା ଧାନ, ଚାଷୀ ମୁଣ୍ଡରେ ଚଡକ।

ଲଗାଣ ବର୍ଷା ବାଧକ, ଗଜା ହେଲା ଧାନ, ଚାଷୀ ମୁଣ୍ଡରେ ଚଡକ।

ଖୋର୍ଦ୍ଧା, ୧୦/୧୦(ସମ୍ବାଦ ଓଡ଼ିଶା):ପ୍ରତିବର୍ଷ ପାଣିପାଗର ଅନିୟମିତତା ଯୋଗୁଁ ଚାଷୀମାନେ ଆଉ ପୂର୍ବପରି ଜମିରେ ବଡ଼ ଧାନ କରିବାକୁ ପସନ୍ଦ କରୁ ନାହାନ୍ତି। ଅଳ୍ପ ଦିନ ମଧ୍ୟରେ କିପରି ଅଧିକ ଧାନ ଅମଳ ହୋଇ ପାରିବ ସେହି ବିହନ ଏବେ ଚାଷ କରୁଛନ୍ତି। ହେଲେ ଦୀର୍ଘ ୧୫ଦିନ ବ୍ୟାପି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ସେଇ ପାଚିଲା ଧାନକୁ ଅମଳ କରିବାରେ ଚାଷୀ ଏବେ ବିଫଳ ହୋଇଛି। ଅମଳ ପୂର୍ବରୁ ଲଗାଣ ବର୍ଷା ପ୍ରଭାବରେ ଧାନ ଗଜା ହୋଇଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧାବ୍ଲକ ନରଣଗଡ଼ ମୌଜାର ବାଲିବସ୍ତ ଅଞ୍ଚଳରେ ଧାନ ଚାଷ କରିଥିବା ଚାଷୀଙ୍କ କ୍ଷେତ୍ରରେ।ସୂଚନା ଯୋଗ୍ୟକି ଏହା ଢିପ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ପାଣି ସମସ୍ୟା ଲାଗି ରହିଥାଏ। ପାଣି ଦାଉରୁ ରକ୍ଷା ନିମନ୍ତେ ଚାମ୍ପ, ସାଇ, ବୀଣା ସୁପର ଆଦି ଶଙ୍କର ଜାତୀୟ ୩ମାସିଆ ଧାନ ଏଠାରେ ଚାଷୀମାନେ ଚାଷ କରିଥିଲେ। ଆଶା ଥିଲା ଖୁବ କମ ଦିନ ମଧ୍ୟରେ ଅଧିକ ଅମଳ ହେବ। ହେଲେ ବିହନ, କୀଟନାସକ, ସାର ଓ ମଜୁରୀ ବାବଦକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅମଳ ବେଳକୁ ଲଗାଣ ବର୍ଷା ପ୍ରଭାବରେ ଧାନ ଦୀର୍ଘଦିନ ମାଟିରେ ପଡି ରହିବା କାରଣରୁ ତାହା ଏବେ ଗଜା ହୋଇଗଲାଣି। ଏହି ପାଚିଲା ଧାନ କ୍ଷେତରେ ଗଜାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏଭଳି ପରିସ୍ଥିତିରେ ଚାଷ କରିବା ନିମନ୍ତେ ସମିତି, ଗାଁ ସାହୁକାର, ମହିଳା ସମିତିରୁ ଧାର ଋଣ କିପରି ପରିଶୋଧ କରିବେ ନେଇ ଚାଷୀକୂଳ ଚିନ୍ତାରେ ପଡିଛନ୍ତି।ଉକ୍ତ ଅଞ୍ଚଳରେ ୨ଏକର ଜମିରେ ଚାଷ କରିଥିବା ଚାଷୀ ବାଳକୃଷ୍ଣ ହରିଚନ୍ଦନଙ୍କ ଅଭିଯୋଗ ଅନୁଯାୟୀ ପ୍ରାରମ୍ଭରୁ ପାଣି ସମସ୍ୟା ଦେଖା ଦେଇଥିଲା। ଅନେକ ଟଙ୍କା ଖର୍ଚ୍ଚ କରି ପାଣି ମଡ଼ାଇ ତଳି ପକାଇଥିଲୁ। ଜମିରେ ଭଲ ଧାନ ମଧ୍ୟ ହୋଇଥିଲା। ହେଲେ ଅମଳ ବେଳକୁ ଲଘୁଚାପ ଜନିତ ଲଗାଣ ବର୍ଷା ସ୍ୱପ୍ନକୁ ଚୁରମାର କରିଦେଲା। ସେହିପରି ଚାଷୀ ସୁଦର୍ଶନ ଭୋଇଙ୍କ କହିବା ଅନୁଯାୟୀ ଏହି ଧାନ ଛୋଟ ଧାନ ହୋଇଥିବାରୁ ଏହା ଦଶହରା ପରେ କଟା ଯିବା କଥା। ମାତ୍ର ପାଗ ଯୋଗୁଁ କାଟି ପାରି ନଥିଲୁ। ଲଗାଣ ବର୍ଷା ଏବେ ବାର୍ଷିକ ଦାନା ଛଡାଇ ନେଲା ବୋଲି ସେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଲଗାଣ ବର୍ଷା ଅଦ୍ୟାବଧି ଜିଲ୍ଲାରେ ଲାଗି ରହିଥିବା ବେଳେ ଖଳା ବାରି ମଧ୍ୟ ଅନୁରୂପ ଭାବେ ସେଇଭଳି ପଡିଛି। ଏଭଳି ପରିସ୍ଥିତିରେ ଧାନ ଅମଳ କରି ପରିବାର ପ୍ରତିପୋଷଣ କରିବୁ ବୋଲି ଚାଷୀ ପ୍ରକାଶ କାଣ୍ଡି ମତ ଦେଇଥିଲେ।ତେବେ ଉକ୍ତ ମୌଜା ଅଞ୍ଚଳରେ ଉକ୍ତ ଧାନ ଚାଷ କରିଥିବା ଚାଷୀଙ୍କ ସୂଚନା ଅନୁଯାୟୀ ୨୦ରୁ ଉର୍ଦ୍ଧ ଚାଷୀ ପ୍ରାୟ ୫୦ଏକରରୁ ଉର୍ଦ୍ଧ ଜମିରେ ଅଧିକ ଅମଳ ଆଶାରେ ଏହି ଧାନ ଚାଷ କରିଥିଲେ। ଏବେ ଚାଷ କ୍ଷେତ୍ରର ଅବସ୍ଥା ଯାହା ସପ୍ତାହକ ମଧ୍ୟରେ ଉକ୍ତ ଜମିରୁ ଧାନ କଟା ଯାଇ ଯଦି ଅମଳ କରା ନଯାଏ ତେବେ କ୍ଷେତ ସାରା ପାଚିଲା ଧାନ ଗଜା ହୋଇ ଯିବାର ଆଶା ଓ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଜିଲ୍ଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।

admin

About Author

Leave a comment

Your email address will not be published. Required fields are marked *