ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ
ଭୁବନେଶ୍ବର୮/୭(ସମ୍ବାଦ ଓଡ଼ିଶା ): ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ଭିତରେ ରସଗୋଲା ଯେ, କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡ଼ିଆକୁ ବୁଝାଇବା ଦରକାର ନାହିଁ। ଏହାର ସମ୍ବନ୍ଧ ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ତଥା ରଥଯାତ୍ରା ସହ ଜଡ଼ିତ ରହିଛି।ରସଗୋଲା ଦିବସ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ଅବସରରେ ପାଳିତ ହୁଏ । ସାରା ବିଶ୍ବରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡିଆ ପ୍ରଚାରରୁ ଆରମ୍ଭ ହୋଇଥିଲା । ଏହାପରେ ୧୭ ଜୁଲାଇ ୨୦୧୬ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ। ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ, ବଡ଼ ଭାଇ ବଳଭଦ୍ର ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥାନ୍ତି । ଯେଉଁଥିପାଇଁ ଅଭିମାନରେ ଥାନ୍ତି ମା’ଲକ୍ଷ୍ମୀ। ଜଗନ୍ନାଥ ବଡ଼ଦେଉଳକୁ ଫେରୁଥିବା ଜାଣି ମା’ ଲକ୍ଷ୍ମୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି। ସେହି ସମୟରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ଯାଇ ଶ୍ରୀଜଗନ୍ନାଥ ରସଗୋଲା ଦିଅନ୍ତି। ଏହି ଦିନ ଶ୍ରଦ୍ଧାଳୁ ମଧ୍ୟ ବଡ଼ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କୁ ରସଗୋଲା ଅର୍ପଣ କରନ୍ତି। ଓଡ଼ିଶାର ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ପାହାଳରେ ପ୍ରସ୍ତୁତ ରସଗୋଲା ଓ ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା, ଯାହାକି ଦେଶ ବିଦେଶରେ ବେଶ୍ ପରିଚିତ । ଦ୍ବାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହେବାର ପରମ୍ପରା ରହିଆସିଛି ବୋଲି ଐତିହାସିକ ଓ ଗବେଷକମାନେ ମତ ଦିଅନ୍ତି।