ମୁଣ୍ଡଳୀରେ ପହଞ୍ଚିଲା ଏ ବର୍ଷର ପ୍ରଥମ ବନ୍ୟାଜଳ, ପ୍ରବାହିତ ହେଉଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ…
କଟକ,୮/୭(ସମ୍ବାଦ ଓଡ଼ିଶା): କଟକ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ସକାଳ ୬ଟାରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯାହା ଆଜି ସନ୍ଧ୍ୟା ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳରେ ପହଞ୍ଚିବ। ୯ ଲକ୍ଷ କ୍ୟୁସେକ ହେଲେ ବନ୍ୟା ହେବ। ହୀରାକୁଦର ୨୦ଟି ଗେଟ ଖୋଲାଯାଇଛି। ବର୍ଷା ଆସିଲେ, ପରବର୍ତ୍ତି ପଦକ୍ଷେପ ନିଆଯିବ। ସୁବର୍ଣ୍ଣରେଖା ରାଜଘାଟ ଠାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସତର୍କ ସଙ୍କେତ ଛୁଇଁବ। ହେଲେ ତା’ ପରେ ଆଉ ଜଳସ୍ତର ବଢିବ ନାହିଁ। କାରଣ ଉପରମୁଣ୍ଡରେ ୧୦୦ ଏମ୍ ଏମ୍ ବର୍ଷା ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ବିଶେଷ ଜଳ ନିଷ୍କାସନ ହେଉନାହିଁ। ବ୍ରାହ୍ମଣୀର ଦୁଇଟି ଗେଟରୁ ଜଳ ନିଷ୍କାସନ ହେଉଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି।