Sambad Odisha

ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟି ନେଲେ ୩୦ ହଜାର ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ

ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟି ନେଲେ ୩୦ ହଜାର

ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ

ନିରାକାରପୁର,୧୭/୭(ସମ୍ବାଦ ଓଡ଼ିଶା):ଦିନକୁ ଦିନ ପୋଲିସ ପ୍ରଶାସନର ଭୟ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବ୍ୟକ୍ତିମାନଙ୍କ ମନରୁ ଦୂର ହେବାକୁ ଲାଗିଛି। ଯାହାଫଳରେ ସାଧାରଣ ଲୋକଟି ନିଜକୁ ଅସୁରକ୍ଷିତ ମନେ କରିବା ସ୍ଵାଭାବିକ। ଏହିପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ। ବଜାର ନିକଟସ୍ଥ ଷ୍ଟେସନ ରୋଡରୁ ବୁଧବାର ରାତି ସାଢ଼େ ସାତଟା ରେ ଦୁଇଜଣ ହେଲମେଟ ପିନ୍ଧା ଯୁବକ ଏକ ବାଇକରେ ଆସି ଘରକୁ ଯାଉଥିବା ଜଣେ ଯୁବକଙ୍କୁ ଭୟଭୀତ କରାଇ ବନ୍ଧୁକରୁ ଫାଙ୍କା ଗୁଳି ଚଳାଇ ୩୦ ହଜାର ଟଙ୍କା ଲୁଟି ନେଇଥିବା ନିରାକାରପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ନିରାକାରପୁର କଲେଜ ଛକ ନିକଟରେ ଥିବା ଏକ ସି ଏସ ସି କେନ୍ଦ୍ର ତଥା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସବୁଦିନ ବନ୍ଦ କରି ଯାଉଥିବାବେଳେ ବୁଧବାର ରାତି ସାଢ଼େ ସାତଟା ସମୟରେ ପରିଚାଳକ ରଘୁନାଥ ପରିଡ଼ା ଯାଉଥିଲେ। କିନ୍ତୁ ତାଙ୍କୁ ପୂର୍ବରୁ ସୁପରିକଳ୍ପିତ ଭାବେ ପିଛା କରିଥିବା ଦୁଇଜଣ ଯୁବକ ଏକ ବାଇକରେ ଆସି ଷ୍ଟେସନ ରୋଡ ରେ ଅଟକାଇ ତାଙ୍କ ନିକଟରେ ଥିବା ବ୍ୟାଗ କୁ ନେବାପାଇଁ ଚେଷ୍ଟା କରିଥିଲେ। ଏଥିରେ ରଘୁନାଥ ବାଧା ଦେବାରୁ ସେମାନେ ପାଖରେ ରଖିଥିବା ଏକ ବନ୍ଧୁକରୁ ଦୁଇ ରାଉଣ୍ଡ ପଙ୍ଖା ଗୁଳି ଚଳାଇଥିଲେ। ପରେ ସେମାନେ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗରୁ ଜଣାପଡିଛି। ଉଭୟ ଲୁଟେରା ମୁଣ୍ଡରେ ହେଲମେଟ ପିନ୍ଧି ଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି ବୋଲି ଆଇଆଇସି ବିଶ୍ୱଜିତ୍ ରାଉତରାୟ ପ୍ରକାଶ କରିଛନ୍ତି।ନିରାକାରପୁର ଅଂଚଳରେ ବହୁ ସଂଖ୍ୟାରେ ବିଭିନ୍ନ ବେସରକାରୀ ଅର୍ଥ ଲଗାଣ କାରୀ ସଂସ୍ଥା ନିଜର ଶାଖା ଖୋଲିଥିବା ବେଳେ ନିଜର ମହିଳା,ପୁରୁଷ କର୍ମଚାରୀ ମାନଙ୍କ ଦ୍ଵାରା ଗ୍ରାମାଞ୍ଚଳ ର ବିଭିନ୍ନ ସ୍ଥାନରୁ ଟଙ୍କା କଲେକ୍ସନ କରି ବିପଦ ପୂର୍ଣ୍ଣ ଭାବେ ଦୈନଦିନ ଆସୁ ଥିବାବେଳେ ବଜାରରେ ଥିବା ଭିନ୍ନ ଭିନ୍ନ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ର ମାଲିକ ମାନେ ଦିନର ଟ୍ରାନଜାକ୍ସନ ଅର୍ଥକୁ ଘର କୁ ଅତି ବେପରୁଆ ଭାବେ ନେଉଥିବା ଲୁଟେରା ଗ୍ୟାଙ୍ଗ ସ୍କାନରେ ରହୁଛି। ଆଉ ସୁବିଧା ସୁଯୋଗ ଦେଖି ସେମାନେ ଏପରି ଘଟଣା ଘଟାଇବା ରେ ସଫଳ ହେଉଛନ୍ତି। ତେଣୁ ଅର୍ଥ କାରବାର କରିଥିବା ପ୍ରତିଷ୍ଠାନ ମାନେ ସୁରକ୍ଷିତ ବ୍ୟବସାୟ ପାଇଁ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

admin

About Author

Leave a comment

Your email address will not be published. Required fields are marked *