Sambad Odisha

ରାଜ୍ୟ ଶିକ୍ଷା

ଆସନ୍ତା ୨୦ରୁ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ, ନଭେମ୍ବର ୧୩ରୁ ଏକ୍ସ-ରେଗୁଲାର୍‌…

ଆସନ୍ତା ୨୦ରୁ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ, ନଭେମ୍ବର ୧୩ରୁ ଏକ୍ସ-ରେଗୁଲାର୍‌…

ଭୁବନେଶ୍ୱର,୭/୧୦ ( ସମ୍ବାଦ ଓଡ଼ିଶା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫର୍ମପୂରଣ ତାରିଖ ଆଜି ଘୋଷଣା ହୋଇଛି। ଆସନ୍ତା ୨୦ତାରିଖରୁ ରେଗୁଲାର୍‌ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ବିନା କୌଣସି ଜରିମାନାରେ ନଭେମ୍ବର ୬ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏହା ପୂର୍ବରୁ, ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ହେବ।ଆସନ୍ତା ୧୩ରୁ ୨୫ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ବିନା ଜରିମାନାରେ ଫର୍ମ ପୂରଣ ସରିବା ପରେ ଏକା ସମୟରେ ଜରିମାନା ଦେଇ ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ। ନଭେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ୨୦୦ଟଙ୍କା ଫାଇନ୍‌ ଏବଂ ନଭେମ୍ବର ୧୭ରୁ ୧୯ତାରିଖ ମଧ୍ୟରେ ୬୦୦ଟଙ୍କା ଫାଇନ୍‌ ଦେଇ ଫର୍ମ ପୂରଣ କରିବେ। ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଅବଗତ କରିଛନ୍ତି।ଫର୍ମ ପୂରଣ ପାଇଁ ୮ଶହ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପ୍ରୋଜେକ୍ଟ, ପ୍ରାକ୍ଟିକାଲ୍‌ ଓ ଇଣ୍ଟରନାଲ୍‌ ପରୀକ୍ଷା ପାଇଁ ଅତିରିକ୍ତ ଭାବେ ୪୦ଟଙ୍କା ଲେଖାଏଁ ଫି’ ରହିଛି। କେବଳ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କଠାରୁ ଏହି ଫି’ ଆଦାୟ କରାଯିବ। ଫର୍ମ ପୂରଣ ଅବଧି ପରବର୍ତ୍ତୀ ସମୟରେ ଆଉ ବୃଦ୍ଧି କରାଯିବ ନାହିଁ। ଫର୍ମ ପୂରଣର ଶେଷ ତାରିଖ ଛୁଟିଦିନ ପଡ଼ିଲେ, ତାହାର ପରବର୍ତ୍ତୀ କାର୍ଯ୍ୟ ଦିବସକୁ ଶେଷ ତାରିଖ ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏକା ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

admin

About Author

Leave a comment

Your email address will not be published. Required fields are marked *